ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଓ ମୋହାଲିରେ ଆସନ୍ତା ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଏଏଚ୍ଏଫ ଏସୀୟ ପୁରୁଷ ଚମ୍ପିଆନ୍ସ ଟ୍ରଫି ହକି -୨୦୨୬ ଖେଳାଯିବ। ଏଥିପାଇଁ ପାକିସ୍ତାନ ନିଜ ଦଳକୁ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି। ପାକିସ୍ତାନ ହକି ଫେଡେରେସନ ଏସୀୟ ହକି ଫେଡେରେସନକୁ ଆନୁଷ୍ଠାନିକଭାବେ ଚିଠି ଲେଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ କିମ୍ବା ପାକିସ୍ତାନର ସମସ୍ତ ମ୍ୟାଚ ଗୁଡ଼ିକୁ କୌଣସି ନିରପେକ୍ଷ ଭେନ୍ୟୁରେ କରାଇବାକୁ ଅନୁରୋଧ କରିଛି। ପାକିସ୍ତାନ ହକି ଫେଡେରେସନର କାମଚଳା ସଭାପତି ମୌଇଉଦ୍ଦିନ ଅହମ୍ମଦ ୱିନି ଏକ ବିବୃତ୍ତିରେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ରାଜନୈତିକ ବିବାଦ ଏବଂ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖେଳାଳି ଓ ଅଫିସିଆଲମାନଙ୍କ ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପାକିସ୍ତାନ କ୍ରୀଡ଼ାକୁ ରାଜନୀତିଠାରୁ ଦୂରରେ ରଖିବାକୁ ଚାହେଁ ଏବଂ ଭାରତ ସମେତ ସମସ୍ତ ଦଳ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ। ମାତ୍ର ମ୍ୟାଚ ନିରପେକ୍ଷ ସ୍ଥାନରେ ହେବା ଆବଶ୍ୟକ ବୋଲି ୱିନି କହିଛନ୍ତି। ଅନ୍ୟପଟେ ହକି ଇଣ୍ଡିଅା ସମ୍ପାଦକ ତଥା ଏସୀୟ ହକି ଫେଡେରେସନ ଉପ ସଭାପତିି ଭୋଳାନାଥ ସିଂହ ପାକିସ୍ତାନ ହକି ଫେଡେରେସନର ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏଏଚ୍ଏଫ ଏସୀୟ ପୁରୁଷ ଚମ୍ପିଆନ୍ସ ଟ୍ରଫି ହକି -୨୦୨୬ : ଭାରତ ଆସିବନି ପାକିସ୍ତାନ
