ଭୁବନେଶ୍ବର : ଶିକ୍ଷାବର୍ଷ ୨୦୨୬-୨୭ରେ ମାଲକାନଗିରି ଜିଲାରୁ ୧୨ ହଜାର ୬୫୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି (ଡ୍ରପ୍ଆଉଟ୍)। ସର୍ବାଧିକ ଡ୍ରପଆଉଟ୍ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଛାତ୍ରଛାତ୍ରୀ ଆଉ ଏକାଦଶ ଶ୍ରେଣୀରେ ନାମଲେଖାଉ ନାହାନ୍ତି। ଡ୍ରପଆଉଟ୍ କାରଣ କ’ଣ ଖୋଜିବା ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ, ସିଆରସିସିଙ୍କ ସହିତ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ନାମଲେଖାଇବା ବ୍ୟବସ୍ଥା କରିବାକୁ ଜିଲା ଶିକ୍ଷାଧିକାରୀ ମାଲକାନଗିରି ଜିଲାର ସମସ୍ତ ବ୍ଲକ ଜିଲାଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।ଶିକ୍ଷାବର୍ଷ ୨୦୨୬-୨୭ ୟୁ-ଡାଇଜ୍ ପ୍ଲସ୍ ତଥ୍ୟାନୁଯାୟୀ, ଚିତ୍ରକୋଣ୍ଡା ବ୍ଲକରୁ ୧,୪୯୪ ଛାତ୍ରଛାତ୍ରୀ ଡ୍ରପ୍-ଆଉଟ୍ ହୋଇଥିବାବେଳେ କାଲିମେଳାରେ ୧,୯୯୭, ଖଇରପୁଟରେ ୧,୭୩୨, କୋରୁକୋଣ୍ଡାରେ ୧,୫୯୩, ମାଲକାନଗିରିରେ ୩,୨୧୧ ମାଥିଲିରେ ୧,୯୬୦ ଏବଂ ପୋଡିଆରେ ୬୭୦ ବିଦ୍ୟାର୍ଥୀ ଡ୍ରପ୍ଆଉଟ୍ ହୋଇଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମରୁ ୬ଷ୍ଠ ଶ୍ରେଣୀରେ ୧,୦୪୦ ଛାତ୍ରଛାତ୍ରୀ ପାଠ ଛାଡ଼ିଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଅଷ୍ଟମରୁ ନବମ ଶ୍ରେଣୀରେ ୨,୬୧୮ ଏବଂ ମାଧ୍ୟମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶମରୁ ଏକାଦଶ ଶ୍ରେଣୀ ମଧ୍ୟରେ ୬,୦୮୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ୬ଷ୍ଠ ଶ୍ରେଣୀରେ ଆଉ ନାମଲେଖାଉ ନାହାନ୍ତି। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ମାଧ୍ୟମିକ ବିଦ୍ୟାଳୟ ନବମ ଶ୍ରେଣୀରେ ଆଉ ନାମଲେଖାଉ ନାହାନ୍ତି। ସେହିପରି ମାଧ୍ୟମିକ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ନାମଲେଖାଉ ନାହାନ୍ତି। ନାମଲେଖାଇ ନ ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ କାହିଁକି ନାମଲେଖାଇ ନାହାନ୍ତି କାରଣ ଯାଞ୍ଚ କରିବାକୁ ଜିଲା ଶିକ୍ଷାଧିକାରୀ ନିର୍ଦେଶ ଦେଇଛନ୍ତି। ଯଦି ସଠିକ ଭାବେ ଯାଞ୍ଚ କରାଯାଇ ପାରିବ ୯,୭୪୫ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ। ଓଡ଼ିଶାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’। ଯୋଜନା ଅନ୍ତର୍ଗତ ଏହି ବର୍ଗର ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟର ୩ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ଉପକୃତ ହେେବ। ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ଯୋଗୁ ଅଧାରୁ ପାଠ ପଢ଼ା ଛାଡ଼ି ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହା ରାଜ୍ୟ ପାଇଁ ବଡ଼ ଚିନ୍ତାର ବିଷୟ। ଏହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆଣିଛନ୍ତି। ଏହି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ଅଧିକ ନାମଲେଖା ପାଇଁ ଉତ୍ସାହିତ କରିବା ସହ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିପାରିବେ ବୋଲି ଆଶା ରହିଛି। ଏହି ଯୋଜନା ସତ୍ତ୍ବେ ମାଲକାନଗିରି ଜିଲାରେ ୧୨,୬୫୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିବା ଚିନ୍ତାର କାରଣ ପାଲଟିଛି।
ମାଲକାନଗିରି ଜିଲାରୁ ଅଧାରୁ ପାଠ ଛାଡ଼ିଲେ ୧୨,୬୫୭ ଛାତ୍ରଛାତ୍ରୀ
