୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ସରପଞ୍ଚଙ୍କ ସ୍ବାମୀ ଅଟକ

ପାଗା : ଜଣେ ୧୮ ବର୍ଷିୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ଘଟଣାକୁ ନେଇ କଟକ କନ୍ଦରପୁର ଥାନାରେ ଏକ ଅଭିଯୋଗ ହୋଇଛି।
ଯୁବତୀଙ୍କୁ ଗତିରାଉତପାଟଣା ଅଞ୍ଚଳର ସରପଞ୍ଚଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ବିଶ୍ୱକର୍ମାଙ୍କ ପୂଜା ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ଘରେ ପୂଜା ଚାଲି ଥିଲା। ତେବେ ସେହି ଗ୍ରାମର ଜଣେ କଲେଜ ଛାତ୍ରୀ ସରପଞ୍ଚଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସରପଞ୍ଚ ଉପର ମହଲାରେ ଥିବା ବେଳେ ତାଙ୍କ ସ୍ବାମୀ ତଳ ମହଲାରେ ଛାତ୍ରୀ ଜଣକୁ ଭୋଗ ଖାଇବା ପାଇଁ ଘର ଭିତରକୁ ଡାକିଥିଲେ। ସେଠାରେ ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ସେଠାରୁ ସେ କୌଶଳକ୍ରମେ ଖସିଯାଇ ଏହି ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ଘରେ କହିଥିଲେ।
ଏହାପରେ ପରିବାର ଲୋକେ କନ୍ଦରପୁର ଥାନାରେ ଏତଲା ଦେଇଥିଲେ। ଏତଲା ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୁଲିସ। ସରପଞ୍ଚଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ଆଗରୁ ବହୁ ସଙ୍ଗୀନ ଅପରାଧିକ ମାମଲା ଯେପରି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ନ କରି ଲକ୍ଷାଧିକ ଟଙ୍କା ଲୁଟ କରିବା ଘଟଣାର ଭିଜିଲାନ୍ସ ଚଢ଼ାଉ, ଫୌଜଦାରୀ ମକଦ୍ଦମା ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *