୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ, ୪ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅବକାରୀ ରେଞ୍ଜ ଅଧୀନ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ସ୍କ୍ୱାର୍ଡ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ୩ଟି ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପୃଥକ ୩ଟି ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ନିରୀକ୍ଷକ ତିଳକ ରାମ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି-ତୁରେକେଲା ରାସ୍ତାର ବେହେରା ଛକ ନିକଟରେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ମଧ୍ୟପ୍ରଦେଶର ଦୀପକ ଶ୍ରୀବାସ (୨୦)ଙ୍କ ଠାରୁ ୧୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ତାଙ୍କ ଠାରୁ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ହୋଣ୍ଡା ବାଇକ (ନଂ. MP18ZA0674) ମଧ୍ୟ ଜବତ କରାଯାଇଛି।ସେହିପରି ବେହେରା ଛକରେ ଯାଞ୍ଚ ସମୟରେ ମଧ୍ୟପ୍ରଦେଶର ଚୋରଭାଟି ଥାନା ଅଞ୍ଚଳର ଦୀପକ କୁମାର ନାପିତ (୩୧)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ତାଙ୍କ ଠାରୁ ଏକ ନମ୍ବରବିହୀନ ଟିଭିଏସ୍‌ ରାଇଡର ବାଇକ ମଧ୍ୟ ଜବତ ହୋଇଛି।ଅନ୍ୟପକ୍ଷରେ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଏସ୍‌ଆଇ ମନୋରଞ୍ଜନ ମୁଣ୍ଡାଙ୍କ ନେତୃତ୍ୱରେ ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି ଛକ ନିକଟରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଛତିଶଗଡ଼ର ଗାଁପେଣ୍ଡରା ଥାନା ଅଞ୍ଚଳର ପିତାମ୍ବର ସାରଥୀ ଓ ତାଙ୍କ ସହ ଥିବା କୃଷ୍ଣ ଗନ୍ଧର୍ବ (୨୦)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏଥିସହ ଗଞ୍ଜେଇ ପରିବହନରେ ବ୍ୟବହୃତ ପଲସର ବାଇକ (ନଂ. MP65ZA4210) ଜବତ କରାଯାଇଛି।ଏହି ଘଟଣାଗୁଡ଼ିକରେ ପୃଥକ ୩ଟି ମାମଲା ରୁଜୁ କରି ଗିରଫ ୪ ଜଣଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *