ପୁରୀ -ଦୁର୍ଗାପୂଜା ୨୦୨୬କୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପାଳନ କରିବା ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଅକ୍ଟୋବର ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ପାଳନ କରାଯାଉଛି । ପୁରୀ ସହରରେ ଅକ୍ଟୋବର ୨୨ ତାରିଖରେ ଏବଂ ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ଅକ୍ଟୋବର ୨୧ ତାରିଖରେ ମେଢ଼ ବିସର୍ଜନ ଅନୁଷ୍ଠିତ ହେବ। ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳର ସୁପରିଚାଳନା ଏବଂ ମେଢ଼ ବିସର୍ଜନ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକୀୟ ପୋଲିସ ବଳ ନିୟୋଜିତ କରାଯାଇଛି। ଜିଲ୍ଲାର ୧୦୪ଟି ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହେବେ। ୯ ପ୍ଲାଟୁନ୍ ଫୋର୍ସ , ୨୬୦ ହୋମଗାର୍ଡ ନିୟୋଜିତ ହେବେ।ଶ୍ରୀମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଦର୍ଶନାର୍ଥୀଙ୍କ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷିତ ଯାତାୟାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ପୁରୀ ସମୁଦ୍ରକୂଳ ସମେତ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା, ବେଳାଭୂମି ପାଟ୍ରୋଲିଂ ଓ ଆକସ୍ମିକ ଜଳବୁଡ଼ି ଦୁର୍ଘଟଣା ରୋକିବା ପାଇଁ ବ୍ୟବସ୍ଥା କରାଯାଇଛି। ପୁରୀ ସମୁଦ୍ରକୂଳରେ ୬୦ ଜଣ ଲାଇଫ୍ ଗାର୍ଡ ଏବଂ ୫୦ ଜଣ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀ ନିୟୋଜନର ବ୍ୟବସ୍ଥା ରହିଛି। ଭିଡ଼ ଓ ଯାନବାହନ ଚଳାଚଳ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୋଲିସ ଓ ହୋମଗାର୍ଡ ନିୟୋଜିତ ହେବେ। ଗୁରୁତ୍ୱପୂର୍ଣ୍ଣ ଛକ ଓ ଭିଡ଼ପ୍ରବଣ ସ୍ଥାନରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ମୋବାଇଲ୍ ପାଟ୍ରୋଲିଂ, ଫୁଟ୍ ପାଟ୍ରୋଲିଂ ଓ ଆଣ୍ଟି-ସାବୋଟାଜ୍ ଯାଞ୍ଚକୁ ଜୋରଦାର କରାଯିବ। ଆବଶ୍ୟକ ସ୍ଥଳେ ଅତିରିକ୍ତ ବଳ ମୁତୟନ ରହିବ।ପର୍ବପର୍ବାଣୀ ସମୟରେ ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗୁଇନ୍ଦା ସୂଚନା ସଂଗ୍ରହ ଓ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ମେଢ଼ ବିସର୍ଜନ ଶୋଭାଯାତ୍ରା ସମୟରେ ନିର୍ଦ୍ଧାରିତ ମାର୍ଗ, ସମୟ ଓ ଲାଇସେନ୍ସର ସର୍ତ୍ତାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଶୋଭାଯାତ୍ରାରେ ଶୃଙ୍ଖଳା ରକ୍ଷା ଓ ଅଘଟଣ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ନଜର ରଖାଯିବ।ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା, ବିଦ୍ୟୁତ୍ ସୁରକ୍ଷା, ସିସିଟିଭି ବ୍ୟବସ୍ଥା ଏବଂ ଦେବୀଙ୍କ ଅଳଙ୍କାରର ସୁରକ୍ଷା ନିମନ୍ତେ ଆୟୋଜକମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।ଉତ୍ସବ ସମୟରେ ଜନସାଧାରଣଙ୍କୁ ଶାନ୍ତି, ଶୃଙ୍ଖଳା ଓ ସଦ୍ଭାବ ବଜାୟ ରଖିବା ସହ ପୋଲିସର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି। ନିର୍ଦ୍ଧାରିତ ଶବ୍ଦସୀମା ଓ ସମୟସୀମା ପାଳନ କରିବା ସହ ଅନୁମତି ବିନା ଆତସବାଜି ପ୍ରଦର୍ଶନ, ବେଆଇନ ଚାନ୍ଦା ଆଦାୟ ଓ ଆଇନଶୃଙ୍ଖଳା ଭଙ୍ଗ କରୁଥିବା କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ।
ଦୁର୍ଗାପୂଜା ଅବସରରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
