ଚଣ୍ଡୀପାଠରେ କମ୍ପୁଛି ଶକ୍ତିପୀଠ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ

ପୁରୀ -ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଶକ୍ତିପୀଠ ଗୁଡିକରେ ଷୋଳଦିନ ବ୍ଯାପୀ ଶାରଦୀୟ ପୂଜା ଅତ୍ଯନ୍ତ ଭକ୍ତି ଓ ନିଷ୍ଠାର ସହ ପାଳିତ ହେଉଛି । ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପୂଜା ବିଜୟାଦଶମୀ ପର୍ଯ୍ୟନ୍ତ ଚାଲିବ ।ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ଏହି ଶକ୍ତିପୀଠରେ ପ୍ରତିଦିନ ମାଙ୍କ ସ୍ନାନ, ମାର୍ଜନା, ଚଣ୍ଡୀପାଠ ଓ ଆକର୍ଷଣୀୟ ବେଶ ଅନୁଷ୍ଠିତ ହେଉଛି ।ମହାଷ୍ଟମୀରେ ଶକ୍ତିପୀଠ ମାନଙ୍କରେ ଯନ୍ତ୍ର ମନ୍ତ୍ର ତନ୍ତ୍ର ଆଧାରେ ଶ୍ଳୋକ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୀଠ ପରିସର । ମା ଦକ୍ଷିଣକାଳୀ, ମା ବାସେଳୀ, ମା ବାରାହୀ ,ମା ରାମଚଣ୍ଡୀ,ମା ବିଶେଶ୍ଵରୀ,ମା ଆଲାମଚଣ୍ଡୀ, ମା ଚର୍ଚ୍ଚିକା, ମା ମରିଚେଇ, ମା ବନଦୁର୍ଗା, ମା ଭୁବନେଶ୍ୱରୀ,ମା ହତଯୋଡି ଠାକୁରାଣୀ,ମା ନାରାୟଣୀ,ମା ଯାଡୁଆଣୀ, କନକଦୁର୍ଗା, ବୁଢୀ ମା, ବୈଷ୍ଣବୀ ଦେବୀ ମନ୍ଦିରରେ ଭକ୍ତମାନଙ୍କ ଭିଡ ଲାଗିଳହିଛି । ଘଣ୍ଟ ଘଣ୍ଟା ସହ ପାରମ୍ପରିକ ବାଦ୍ଯରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ଧୂପ ଦୀପ ଓ
ସୁଗନ୍ଧିତ ପୁଷ୍ପର ମହକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଶକ୍ତିପୀଠରେ ମାଙ୍କ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି । ଦ୍ବାରଫିଟା, ମଙ୍ଗଳ ଆଳତି,ସ୍ନାନ ଅବକାଶ, ମଇଲମ ,ବାଳଧୂପ, ମଧ୍ଯାହ୍ନ ଧୂପ, ଶଙ୍ଖୁଡି ଭୋଗରେ ଖେଚୁଡି,ଅନ୍ନ, ଡାଲି ଡାଲମା, ବେସର ମହୁର, ଶାଗ,ଖଟା, ଖୀରି ଓ ସ୍ବତନ୍ତ୍ର ଆମିଷ ଭୋଗରେ ମହକୁଛି ମା’ଙ୍କ ମନ୍ଦିର । ସକାଳ ଓ ସଂଧ୍ଯାରେ ଆଳତି ଓ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ସାହି ଗଳି କନ୍ଦିରେ ଥିବା ମାଙ୍କ ମନ୍ଦିର ର ପ୍ରସାଦ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *