ରାଜ୍ୟଗୋଷ୍ଠୀ ପାରା ଫେନ୍‌ସିଂ: ଓଡ଼ିଶା ଖେଳାଳିଙ୍କୁ ୨ ସ୍ବର୍ଣ୍ଣ ପଦକ

କଟକ: ନାଇଜେରିଆର ଲାଗୋସ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାରା ଫେନ୍‌ସିଂ ବା ଅସିଚାଳନା ଚମ୍ପିଆନ୍‌ଶିପ୍‌ରେ ଓଡ଼ିଶାର ପୁରୁଷ ପାରା ଫେନ୍‌ସର ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ଟି କାଂସ୍ୟ ସହ ୪ଟି ପଦକ ଜିତିଛନ୍ତି। ଭି. ରମେଶ ରାଓ ପୁରୁଷ ଫଏଲ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହି ରମେଶ କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ। ସେଠାରେ ସେ ସ୍ଥାନୀୟ ଫେନ୍‌ସର ଓଡୁନୟେ ଓପେଓଲୁୱାଙ୍କୁ ୧୫-୨ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ଅନ୍ୟତମ ଓଡ଼ିଆ ପବିତ୍ର ସାହୁଙ୍କୁ ୧୫-୧୨ରେ ପରାସ୍ତକରି ରମେଶ ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ପିଙ୍କୁଙ୍କୁ ୧୫-୧୦ରେ ପରାସ୍ତ କରି ରମେଶ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଓମ୍ ପ୍ରକାଶ ବେହେରା ପୁରୁଷ ଫଏଲ୍ କାଟାଗୋରୀରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁଲ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ହାସଲ କରି ସେ ସିଧାସଳଖ ସେମିଫାଇନାଲ ଖେଳି ତାଙ୍କ ପ୍ରତିପକ୍ଷଙ୍କୁ ୧୫-୨ରେ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲେ। ଫାଇନାଲରେ ଓଡ଼ିଶାର ରୁଦ୍ର ନାରାୟଣ ବେହେରାଙ୍କୁ ୧୫-୫ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ରୁଦ୍ର ନାରାୟଣ ବେହେରା ସିଧାସଳଖ ସେମିଫାଇନାଲରେ ପ୍ରବେଶ କରି ଅଜାନି ଇଡୋୱୁଙ୍କୁ ୧୫-୩ରେ ପରାସ୍ତ କରିବା ପରେ ଫାଇନାଲରେ ଓମ୍ ପ୍ରକାଶ ବେହେରାଙ୍କଠାରୁ ୧୫-୫ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ। ରାଖାଲ କୁମାର ସେଠୀ କ୍ବାର୍ଟରଫାଇନାଲରେ ପ୍ରବୀଣଙ୍କୁ ୧୫-୧୦ରେ ହରାଇବା ପରେ ସେମିଫାଇନାଲରେ ପିଙ୍କୁଙ୍କଠାରୁ ୧୫-୧୩ରେ ପରାସ୍ତହୋଇ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶାର ପବିତ୍ର ସାହୁ କ୍ବାର୍ଟରଫାଇନାଲରେ ସନ୍ଦୀପଙ୍କୁ ୧୫-୯ ହରାଇ ସେମିଫାଇନାଲରେ ଭି. ରମେଶ ରାଓଙ୍କଠାରୁ ୧୫-୧୨ରେ ପରାସ୍ତହୋଇ କାଂସ୍ୟ ପଦକ ଜିତିଥିଲେ। ଓଡ଼ିଶାର ପାରା ଫେନ୍‌ସରଙ୍କ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରଶଂସନୀୟ।

Leave a Reply

Your email address will not be published. Required fields are marked *