ଢ଼ାକା : ଶକ୍ତି ସଙ୍କଟ ଦେଇ ଗତି କରୁଥିବା ବାଂଲାଦେଶରେ ବିଦ୍ୟୁତ୍ ଅଭାବ ଅତ୍ୟନ୍ତ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ଗ୍ୟାସ୍ ଏବଂ କୋଇଲା ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି। ଫଳରେ ସାରା ଦେଶରେ ଘଣ୍ଟା ଘଣ୍ଟା ଧରି ବ୍ଲାକ୍ଆଉଟ୍ ସମସ୍ୟା ଲାଗି ରହିଛି। ବିଦ୍ୟୁତ୍ ସଞ୍ଚୟ କରିବା ପାଇଁ ବାଂଲାଦେଶ ସରକାର ଦେଶବ୍ୟାପୀ ସମସ୍ତ ଶପିଂ ମଲ୍, ଦୋକାନ, ମାର୍କେଟ୍ ଓ ହୋର୍ଡିଂ ବୋର୍ଡଗୁଡ଼ିକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଢାକା ଉପକଣ୍ଠରେ ଥିବା ଗାଁଗୁଡ଼ିକରେ ଦିନକୁ ୮ରୁ ୧୦ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଧରି ବିଦ୍ୟୁତ୍ କାଟ୍ ହେଉଛି। ଏଥିପାଇଁ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ବିଦ୍ୟୁତ୍ ସବ୍ଷ୍ଟେସନ୍ ଭଙ୍ଗାରୁଜା କରାଯାଇଛି। ବିଦ୍ୟୁତ୍ କାର୍ଯ୍ୟାଳୟଗୁଡ଼ିକରେ ପୁଲିସ ସୁରକ୍ଷା ମଗାଯାଇଛି।
ଏହି ସଙ୍କଟରୁ ବର୍ତ୍ତିବା ପାଇଁ ବାଂଲାଦେଶ ଭାରତର ସହାୟତା ମାଗିଛି। ସଙ୍କଟର ମୁକାବିଲା ପାଇଁ ବାଂଲାଦେଶର ଶକ୍ତି ମନ୍ତ୍ରୀ ଭାରତୀୟ ହାଇକମିସନରଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ପାଇପଲାଇନ୍ ମାଧ୍ୟମରେ ଅଧିକ ଡିଜେଲ୍ ଯୋଗାଇଦେବାକୁ ଭାରତକୁ ଅନୁରୋଧ କରିଛନ୍ତି। ବାଂଲାଦେଶର ବିଦ୍ୟୁତ୍ ଉତ୍ପାଦନ ମୁଖ୍ୟତଃ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ଉପରେ ନିର୍ଭରଶୀଳ। ନିକଟରେ ଏକ ଏଲଏନଜି ଟର୍ମିନାଲରେ ନିଆଁ ଲାଗିବା ଓ ସମୁଦ୍ର ମାଧ୍ୟମରେ ଆସୁଥିବା ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବାଂଦେଶରେ ଦୈନିକ ବିଦ୍ୟୁତ୍ ଚାହିଦା ପ୍ରାୟ ୧୮,୦୦୦ ମେଗାୱାଟ୍ ଥିବା ବେଳେ ଯୋଗାଣ ମାତ୍ର ୧୩,୦୦୦ ମେଗାୱାଟ୍ରେ ସୀମିତ ରହିଛି। ବାଂଲାଦେଶ ନିଜର ଦୈନନ୍ଦିନ ଚାହିଦା ପୂରଣ ପାଇଁ ଭାରତର ଆଦାନୀ ପାୱାର ଏବଂ ଅନ୍ୟାନ୍ୟ ଭାରତୀୟ ସଂସ୍ଥାରୁ ଆସୁଥିବା ବିଦ୍ୟୁତ୍ ଉପରେ ବହୁ ପରିମାଣରେ ନିର୍ଭରଶୀଳ।
ବାଂଲାଦେଶରେ ବିଦ୍ୟୁତ୍ ସଂକଟ
