ଧର୍ମଗଡ଼:ନିଖୋଜର ୫ ଦିନ ପରେ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଆଜି ବେହେରା ସ୍ଥିତ ଭଣାର ଡଙ୍ଗରି ରେ ଠାବ ହୋଇଛି। ମୃତକ ମାନେ କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମର ପ୍ରହ୍ଲାଦ ନାଏକ ଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ କେନ୍ଦୁମୁଡ଼ି ପଡ଼ାର ପ୍ରିୟଦର୍ଶିନୀ ନାଏକ ବୋଲି ଜଣାପଡିଛି।
ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ତେବେ ଗତ ୧୭ ତାରିଖ ଦୁର୍ଗାପୂଜା ଦିନଠାରୁ ସେମାନେ ନିଖୋଜ ହୋଇଯାଇଥିଲେ। ଏନେଇ ଉଭୟ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଆଜି ସକାଳେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦୁଇଟି ମୃତଦେହ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ମୃତଦେହ ରେ ରକ୍ତ ଛିଟା ଥିବା ଏବଂ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିବା କୁହାଯାଉଥିବା ବେଳେ, ଅଜିତ୍ ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି। କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିଫେରିଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଯାଇଛି। ଧର୍ମଗଡ ଏସଡିପିଓ ଭର୍ଷିତା ଆଡେପ୍ପୁ ଙ୍କ ନେତୃତ୍ୱରେ ଧର୍ମଗଡ ଓ କୋକସରା ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।
ନିଖୋଜର ୫ ଦିନ ପରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
