ବିଦ୍ୟୁତ୍ ଆଘାତରେ ମାଆ-ଝିଅଙ୍କ ମୃତ୍ୟୁ

ଭବାନୀପାଟଣା : ସଦରଥାନା ଅନ୍ତର୍ଗତ କର୍ଲାସୋଡ଼ା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ମାଆ-ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଲଳିତା ନାଏକ (୪୫) ଜଣେ ଶିକ୍ଷୟିତ୍ରୀ ଏବଂ ଝିଅ ଶୀତଳ ନାଏକ (୨୦) ବୋଲି ଜଣାପଡ଼ିଛି। ମୃତ ଲଲିତା ଗାଧୋଇବା ପରେ ତାରରେ ଓଦା ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ଝିଅ ଶୀତଳ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ହେଲେ ବିଭିନ୍ନ କାରଣରୁ ଆମ୍ବୁଲାନ୍ସ ଡେରିରେ ଆସିବାରୁ ଏକ ଅଟୋରେ ଉଭୟଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଚିକିତ୍ସାରେ ଅବହେଳା କରିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ରେ ପରିବାର ଲୋକେ ମୃତଦେହ ସହିତ ଜିଲାପାଳଙ୍କ କାର୍ଯ୍ୟ।ଳୟ ଫାଟକ ଅବରୋଧ କରିଥିଲେ। ପରେ ତହସିଲଦାର ଏବଂ ପୁଲିସ ଅଧିକାରୀଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ଏହି ଘଟଣା ପରେ କର୍ଲାସୋଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *