ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଅକ୍ଟୋବର ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସମୟକୁ ଗୁରୁତ୍ୱ ଦେଇ, ବିଦ୍ୟୁତ୍ ଗ୍ରିଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ କୋରାପୁଟଠାରେ ଉପସ୍ଥିତ ରହି ବାତ୍ୟାର ପ୍ରଭାବ ଉପରେ ନଜର ରଖିବେ ଏବଂ ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ନେତୃତ୍ୱ ନେବେ।

ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି, ଯେଉଁଥିରେ STAMC ଚନ୍ଦକା ଠାରେ ୨୪x୭ ଜରୁରୀକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ, ନରେନ୍ଦ୍ରପୁରଠାରେ ଜୋନାଲ କଣ୍ଟ୍ରୋଲ ରୁମ୍ ଏବଂ ନରେନ୍ଦ୍ରପୁର, ଛତ୍ରପୁର, ଭଞ୍ଜନଗର, ଜୟନଗର, ମାଲକାନଗିରି, ଥେରୁବାଲି, କେସିଙ୍ଗା, ସମଙ୍ଗରା, ପାରାଦୀପ, ଭଦ୍ରକ ଓ ବାଲେଶ୍ୱର ଭଳି ୧୧ଟି ସଂବେଦନଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସମସ୍ତ କମାଣ୍ଡ ୟୁନିଟ୍‌ରେ ଜରୁରୀକାଳୀନ ଡ୍ୟୁଟି ରୋଷ୍ଟର, ଯୋଗାଯୋଗ ବ୍ୟବସ୍ଥା, ବ୍ୟାକଅପ୍ ଡିଜେଲ ଜେନେରେଟର ଏବଂ ଡିସି ପାୱାର ସିଷ୍ଟମ୍ ପ୍ରସ୍ତୁତ ରଖାଯିବା ସହ ୮୩ ସେଟ୍ (୧୩୨ କେଭି, ୨୨୦ କେଭି ଓ ୪୦୦ କେଭି) ଜରୁରୀକାଳୀନ ଟାୱାର, ୧,୧୧୫ କିଲୋମିଟର ଦୀର୍ଘ କଣ୍ଡକ୍ଟର ଏବଂ ୯,୧୫୭ଟି ହାର୍ଡୱେର୍ ଫିଟିଂ ସେଟ୍ ବିଭିନ୍ନ ଡିପୋରେ ଆଗୁଆ ମହଜୁଦ ରଖାଯାଇଛି।

Leave a Reply

Your email address will not be published. Required fields are marked *