ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକୁ କାର୍ଡଧାରୀଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପଡେସ୍କ (ସହାୟତା କେନ୍ଦ୍ର) ସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ‘ପିଏମ୍ ରାହତ’େର ମାଗଣା ଜରୁରୀକାଳୀନ ଚିକିତ୍ସା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍)ର ଅନୁପାଳନ ପାଇଁ କୁହାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତି (ସାସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି. ଘରୋଇ ହସ୍ପିଟାଲରେ ଏସବୁ ଯୋଜନାର ଅନୁପାଳନ ସମୀକ୍ଷା କରି ଏହି ନିର୍ଦେଶ ଦେଇଛନ୍ତି। ଡାକ୍ତର ବୃନ୍ଦା ସ୍ପଷ୍ଟ କରିଛନ୍ତି ଯେ ଅଗଷ୍ଟ ୩୧ ସୁଦ୍ଧା ପଞ୍ଜିକୃତ ହସ୍ପିଟାଲଗୁଡ଼ିକ ଆୟୁଷ୍ମାନ ଡିଜିଟାଲ ମିଶନ ଦ୍ୱାରା ନିର୍ଦ୍ଧାରିତ ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା, ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଆଭା) ଆଧାରିତ ରୋଗୀଙ୍କ ମେଡିକାଲ ରେକର୍ଡ, ହସ୍ପିଟାଲରେ ସେବା ସୁବିଧା ରେଜିଷ୍ଟ୍ରି ଏବଂ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ନର୍ସଙ୍କ ରେଜିଷ୍ଟ୍ରି ଆଦିକୁ ଏବିଡିଏମ୍ ସଫ୍ଟୱେର୍ ସହ ସଂଯୁକ୍ତ ନ କଲେ, ଆୟୁଷ୍ମାନ ଯୋଜନାରେ ସମ୍ପୃକ୍ତ ହସ୍ପିଟାଲ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହୋଇଯିବ। ଏପରି ଅବସ୍ଥା ବଜାୟ ରହିଲେ, ହସ୍ପିଟାଲକୁ ତାଲିକା ବହିର୍ଭୂତ କରାଯାଇପାରେ। ଏହି ସମୀକ୍ଷା ବୈଠକରେ ସାସ୍ର ଅତିରିକ୍ତ ସଚିବ ତଥା ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ନିର୍ଦେଶକ ଡାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ତିଲେ।
ଆୟୁଷ୍ମାନ ଯୋଜନାରେ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକୁ କାର୍ଡଧାରୀଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପଡେସ୍କ ସ୍ଥାପନ କରିବାକୁ ନିର୍ଦେଶ
