ଦହିବରା-ଆଳୁଦମ୍‌ ଖାଇ ଝାଡ଼ାବାନ୍ତିରେ ୧୦୦ ଆକ୍ରାନ୍ତ

କାକଟପୁର : ପୁରୀ ଜିଲା କାକଟପୁର ବ୍ଲକ୍ ବାଙ୍ଗୁରୀଗାଁ ଅଞ୍ଚଳରେ ଦହିବରା, ଆଳୁଦମ୍ ଓ ଗୁପଚୁପ୍ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ବାଙ୍ଗୁରୀଗାଁ, ନାସିକେଶ୍ବର, ତେନ୍ତୁଳିଆ, ଆନନ୍ଦବଜାର ଆଦି ଗ୍ରାମର ଜନସାଧାରଣଙ୍କ ସହ ବହୁ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ବାଙ୍ଗୁରୀଗାଁ ବଜାର ରାସ୍ତାକଡ଼ରେ ବିକ୍ରି ହେଉଥିବା ଦହିବରା, ଆଳୁଦମ୍ ଓ ଗୁପଚୁପ୍ ଖାଇବା ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି। ବିଶେଷକରି, ରାସ୍ତାକଡ଼ରେ ଦହିବରା, ଗୁପଚୁପ୍ ବିକୁଥିବା ଦୁଇଜଣ ବ୍ୟକ୍ତିଙ୍କଠାରୁ ଖାଦ୍ୟ ଖାଇବା ପରେ ଅନେକଙ୍କ ପେଟବଥା ହେବା ସହ ବାନ୍ତି ହୋଇ ଜ୍ବର ଆସିବା ଭଳି ଲକ୍ଷଣ ଦେଖାଦେଇଥିଲା। ଆଜି ଦିନ ପ୍ରାୟ ୨ଟାରୁ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥଙ୍କ ଭିଡ଼ ଜମିଥିଲା। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ୯ଜଣ ସେଠାରେ ରହି ଚିିକିତ୍ସିତ ହେଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣା ପରେ ବାଙ୍ଗୁରୀଗାଁ, କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ରାସ୍ତାକଡ଼ର ଠେଲା ଦୋକାନ, ଜଳଖିଆ ଦୋକାନ, ହୋଟେଲ ଓ ରେସ୍ତୋରାଁରେ ବିକ୍ରି ହେଉଥିବା ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *