ବ୍ରୁସେଲ୍ସ: ଚଳିତ ବର୍ଷ ୟୁରୋପରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଭୀଷଣ ଖରା ଯୋଗୁଁ ଅନେକ ବଡ଼ ନଦୀନାଳ ଶୁଖିଯାଇଛି। ଜଙ୍ଗଲ ଜଳି ଯାଇଛି। ୟୁରୋପର ସ୍ଥିତି ଉତ୍ତପ୍ତ କଡ଼େଇ ଭଳି ହୋଇଯାଇଛି। ଏହା ଅକାଳରେ ଲୋକଙ୍କ ଜୀବନ ନେଇଯାଉଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଭୀଷଣ ଖରା ଯୋଗୁଁ ୩୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଲକ୍ଷାଧିକ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ୟୁରୋପୀୟ ସଂଘ ଚିନ୍ତିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଓ ବେଧଡ଼କ ଜଙ୍ଗଲ କାଟ ପାଇଁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବଳ ଖରା ଯୋଗୁଁ ଯୁରୋପର ଅନେକ ବଡ଼ ନଦୀର ଜଳସ୍ତର ହ୍ରାସ ପାଇଛି। ଏଗୁଡ଼ିକ ମଧ୍ୟରେ ଡେନ୍ୟୁବ, ରାଇନ ଓ ଫ୍ରାନ୍ସର ଗାରୋନ ନଦୀ ମଧ୍ୟ ସାମିଲ ରହିଛି। ଏହି ଗ୍ରୀଷ୍ମ ପ୍ରବାହରେ ବୃଦ୍ଧବୃଦ୍ଧା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଖରା ଏମିତି ହେଉଛି ଯେ ଡାକ୍ତରଖାନା ଓ ବୃଦ୍ଧାଶ୍ରମରେ ରହିବା ମଧ୍ୟ କଷ୍ଟକର ହେଇଯାଉଛି। ବୈଜ୍ଞାନିକଙ୍କ ଆକଳନ ତୁଳନାରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇଛି। ଏହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଜୁଲାଇ ୨୨ ତାରିଖରେ ଇଟାଲୀର ସିସିଲି ସହର ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସ ରହିଥିଲା। ଫ୍ରାନ୍ସର ଫିସୋସ ତାପମାତ୍ରା ୪୪.୩ ଡିଗ୍ରୀ ଓ ସ୍ପେନ ଅନେକ ଅଞ୍ଚଳର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।
ଚଳିତ ବର୍ଷ ୟୁରୋପରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି
