ମାଲକାନଗିରି ଜେଲ୍‌ରେ ପୁଣି କଏଦୀଙ୍କ ମୃତ୍ୟୁ

ମାଲକାନଗିରି:ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା। ସୂଚନା ଅନୁସାରେ, ପ୍ରାୟ ତିନି ମାସ ତଳେ କୌଣସି ଏକ ମାମଲାରେ ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।ପରିବାରର କହିବା ଅନୁଯାୟୀ, ଲକିନାଥ ପ୍ରତିଦିନ ଭଳି ଆଜି ମଧ୍ୟ ପରିବାର ସଦସ୍ୟଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ କୌଣସି ସୂଚନା ମିଳିନଥିଲା। ତେବେ ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ନିକଟକୁ ଜେଲ୍‌ ପକ୍ଷରୁ ଫୋନ୍‌ ଆସିଥିଲା। ଲକିନାଥଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ନିଆଯାଇଥିବା ଜଣାଯାଇଥିଲା।ପରିବାର ଲୋକେ ମେଡିକାଲରେ ପହଞ୍ଚିବା ବେଳକୁ ଲକିନାଥଙ୍କ ମୃତ୍ୟୁ ଘଟିସାରିଥିଲା। ଏହା ଜାଣିବା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମୃତ୍ୟୁର କାରଣକୁ ନେଇ ପ୍ରଶ୍ନ ଉଠାଇ ପରିବାର ଲୋକେ ମେଡିକାଲ ପରିସରରେ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ ସହ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ମଧ୍ୟ ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ଗଞ୍ଜାମ ଜିଲ୍ଲାର କଏଦୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହେବାରୁ କାରାଗାରରେ କଏଦୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଲକିନାଥଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ତାହା ପୋଷ୍ଟମର୍ଟମ ଓ ତଦନ୍ତ ପରେ ସ୍ପଷ୍ଟ ହେବ। ଖବର ଲେଖାଯିବା ପର୍ଯ୍ୟନ୍ତ ମେଡିକାଲ ପରିସରରେ ଉତ୍ତେଜନା ଜାରି ରହିଥିବା ସୂଚନା ମିଳିଛି। ଏଥିସହ ପରିବାର ଲୋକେ ଶବକୁ ଧରି ୩୨୬ ଜାତୀୟ ରାଜପଥ ଘେରାଉ କରିବା ପାଇଁ ପ୍ରସ୍ତୁ ହେଉଥିଲେ। ପୁଲିସ ଯେତେ ବୁଝାଇଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ ହେଉଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *