ନୂଆଦିଲ୍ଲୀ: ପର୍ତ୍ତୁଗାଲର ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ବାନ୍ଧବୀ ମଡେଲର ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ପଶ୍ଚିମ ଲିସ୍ବନର କାସାଇସରେ ଗୋପନୀୟ ଭାବେ ଏକ ନିରାଡମ୍ବର ଉତ୍ସବରେ ରଡ୍ରିଗ୍ସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୋନାଲଡୋ। ଏହି ବିବାହ ଉତ୍ସବେର ରୋନାଲଡୋଙ୍କ ୫ଟି ସନ୍ତାନ ସହ ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ୨୦୧୬ରେ ରୋନାଲଡୋ ପ୍ରଥମ ଥର ପାଇଁ ମାଦ୍ରିଦରେ ଗୁସି ଷ୍ଟୋରରେ ଜର୍ଜିନା ରଡ୍ରିଗ୍ସଙ୍କ ସହ ଭେଟ ହୋଇଥିଲେ। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା। ଉଭୟେ ଏକାଠି ମଧ୍ୟ ରହୁଥିଲେ। ୨୦୨୫ ଅଗଷ୍ଟ ୧୧ରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ନେଇ ରଡ୍ରିଗ୍ସ ଘୋଷଣା କରିବା ସହ ତାଙ୍କର ନିର୍ବନ୍ଧ ମୁଦି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ରୋନାଲଡୋ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ରୋନାଲଡୋଙ୍କ ୫ଟି ସନ୍ତାନ ରହିଛନ୍ତି। ସେମାନେ ହେଲେ ୯ ବର୍ଷ ବୟସ୍କ ଯମଜ ଇଭା ମାରିଆ ଏବଂ ମାଟେଓ, ୮ ବର୍ଷ ବୟସ୍କ ଝିଅ ଆଲାନା, ୪ ବର୍ଷ ବୟସ୍କ ଝିଅ ବେଲା ଏବଂ ୧୬ ବର୍ଷ ବୟସ୍କ ପୁଅ କ୍ରିଷ୍ଟିଆନୋ ଜୁନିୟର। ୫ଥର ବାଲାନ ଡି ଓର୍ ପୁରସ୍କାର ବିଜେତା ୪୧ ବର୍ଷୀୟ ରୋନାଲଡୋ ୨୦୦୩ରୁ ଅନ୍ତର୍ଜାତୀୟସ୍ତରରେ ପର୍ତ୍ତୁଗାଲ ସିନିୟର ଦଳ ପକ୍ଷରୁ ଖେଳି ଆସୁଛନ୍ତି। ସେ ଏବେ ସୁଦ୍ଧା ୨୩୩ଟି ମ୍ୟାଚ ଖେଳି ୧୪୬ଟି ଗୋଲ ଦେଇଛନ୍ତି। ସଂପ୍ରତି ଏବେ ସାଉଦିଆରବୀୟ କ୍ଳବ ଅଲ୍ -ନାସରରୁ ଖେଳୁଛନ୍ତି। ପୂର୍ବରୁ ସେ ମାଞ୍ଚେଷ୍ଟର ୟୁନାଇଟେଡ, ରିୟଲ ମାଦ୍ରିଦ, ଜୁଭେଣ୍ଟସ ପାଇଁ ଖେଳିଛନ୍ତି।
ଜର୍ଜିନାଙ୍କୁ ବିବାହ କଲେ ପର୍ତ୍ତୁଗାଲର ଫୁଟବଲ ତାରକା ରୋନାଲ୍ଡୋ
