ଆଇଚି(ଜାପାନ): ଜାପାନର ଆଇଚି-ନାଗୋୟାରେ ଏସୀୟ କ୍ରୀଡ଼ା-୨୦୨୬ ଶନିବାର ଉଦ୍୍ଘାଟିତ ହେବ। ଏହା ପୂର୍ବରୁ ମହିଳା ଟି୨୦ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଗୁରୁବାର କେରୋଗି ସ୍ପୋଟର୍ସ ପାର୍କରେ ଦୁଇଟି କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ୭ ୱିକେଟରେ ଥାଇଲାଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ସେହିପରି ଚୀନ୍ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ ବର୍ଷା ପାଇଁ ବାତିଲ କରିଦିଆଯାଇଥିଲା। ଚୀନଠାରୁ ବାଂଲାଦେଶ ଉଚ୍ଚମାନ୍ୟତାପ୍ରାପ୍ତ ଦଳ ହୋଇଥିବାରୁ ବାଂଲାଦେଶକୁ ସେମିଫାଇନାଲ ଯୋଗ୍ୟତା ମିଳିଛି। ଶୁକ୍ରବାର ଆଇଚିର କୋରୋଗି ଆଥ୍ଲେଟିକ ପାର୍କ ଷ୍ଟାଡ଼ିୟମରେ ତୃତୀୟ କ୍ବାର୍ଟର ଫାଇନାଲରେ ମାଲେସିଆ-ଶ୍ରୀଲଙ୍କାକୁ ଓ ଚତୁର୍ଥ କ୍ବାର୍ଟର ଫାଇନାଲରେ ଭାରତ -ଜାପାନକୁ ଭେଟିବ। ୨୦୨୩ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ବିଜୟିନୀ ଭାରତୀୟ ଦଳ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିବ। ଦଳରେ ସ୍ମୃତି ମାନ୍ଧାନା, ଶେଫାଳି ବର୍ମା,ରିଚା ଘୋଷ, ଦୀପ୍ତି ଶର୍ମାଙ୍କ ଭଳି ଖେଳାଳି ରହିଛନ୍ତି। କ୍ରାନ୍ତି ଗୌଡ଼, ରେଣୁକା ସିଂହ,ଶ୍ରୀ ଚରଣି, ନନ୍ଦିନୀ ଶର୍ମା ବୋଲିଂ ଭାର ସମ୍ଭାଳିବେ। ନିକଟରେ ଭାରତୀୟ ଦଳ ୟୁଏଇରେ ଆୟୋଜିତ ମହିଳା ଏସିଆ କପ୍ ଟି୨୦ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଏସୀୟ କ୍ରୀଡ଼ାରେ ଦଳ ଚମ୍ପିଆନ୍ଙ୍କ ଭଳି ଖେଳି ସ୍ବର୍ଣ୍ଣ ବଜାୟ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଅନଭିଜ୍ଞ ଜାପାନ ପାଇଁ ଭାରତ ବିପକ୍ଷରେ ଖେଳିବା ସବୁଠାରୁ ବଡ଼ ଆହ୍ବାନ। ଆୟୋଜକ ଦେଶ ଜାପାନ ମାୟା ୟାନାଗାଡ଼ିଙ୍କ ନେତୃତ୍ବରେ ଖେଳିବ। ଇରିକା ଓଡା,ଆଲିଆ ଚାଣ୍ଡେଲ,ହିନାସେ ଗୋଟା,ଆକରି ନିଶିମୁରାଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରିବ। ବୋଲିଂରେ ଏଲିନା କୁସାଡ଼ୁ ନାଇରାନ, ଏନ୍ ଉସୁମୋଟୋ,ଇରିକା ଟୋଚି ଓକୁନ ବୋଲିଂ ଦାୟିତ୍ବ ସମ୍ଭାଳିବେ। ଜାପାନ ବିପକ୍ଷରେ ଭାରତ କ୍ବାର୍ଟର ଫାଇନାଲରେ ଫେବରିଟ୍ ରହିଛି। ପ୍ରଥମ ଥର ପାଇଁ ଦୁଇ ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ମ୍ୟାଚକୁ ଭାରତ ସହଜରେ ଜିତି ସେମିଫାଇନାଲ ଲକ୍ଷ୍ୟ ରଖିଛି।
ଏସୀୟ କ୍ରୀଡ଼ା ମହିଳା କ୍ରିକେଟ ୨୦୨୬ : ବାଂଲାଦେଶ ଭାରତ-ଜାପାନ କ୍ବାର୍ଟରଫାଇନାଲ ଆଜି
