ସ୍ବତନ୍ତ୍ର ସଂଘନ ସଂଶୋଧନ ଜରିଆରେ ବିଜେପି ନିର୍ବାଚନ ଜିତିବାକୁ ଚାହୁଁଛି : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି

ହାଇଦରାବାଦ୍‌: ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର)କୁ ନେଇ ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି। ଏସ୍‌ଆଇଆରକୁ ଢାଲ କରି ବିଜେପି ତେଲଙ୍ଗାନା ନିର୍ବାଚନ ଜିତିବା ପାଇଁ ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ, ଏହି କାର୍ଯ୍ୟରେ ରାଜ୍ୟର ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି ମଧ୍ୟ ବିଜେପିକୁ ସହଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି।

କୋଡାଙ୍ଗାଲସ୍ଥିତ ବାସଭବନରେ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ସମ୍ବୋଧିତ କରି ରେଡ୍ଡୀ କହିଛନ୍ତି ଯେ, ବିଜେପି ପୂର୍ବରୁ ପଶ୍ଚିମବଙ୍ଗ, ବିହାର ଏବଂ ମହାରାଷ୍ଟ୍ରରେ ମଧ୍ୟ ସମାନ କାର୍ଯ୍ୟ କରିଛି। ଏବେ ତେଲଙ୍ଗାନାରେ ଏହାର ପୁନରାବୃତ୍ତି କରିବାକୁ ଦଳ ଚାହୁଁଛି। ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଭୋଟ୍ ବ୍ୟାଙ୍କ କୁହାଯାଉଥିବା ଏସସି, ଏସଟି ଏବଂ ସଂଖ୍ୟାଲଘୁ ଭୋଟରମାନଙ୍କୁ ଟାର୍ଗେଟ କରାଯାଉଛି। ଛୋଟ ଛୋଟ ତ୍ରୁଟିକୁ ବାହାନା କରି ସେମାନଙ୍କ ନାମ ଭୋଟର ତାଲିକାରୁ କାଟିବାକୁ ଯୋଜନା ଚାଲିଛି। ଅଗଷ୍ଟ ୧୭ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକା ଅନୁଯାୟୀ, ଅନୁପସ୍ଥିତ, ସ୍ଥାନାନ୍ତର କିମ୍ବା ମୃତ ବର୍ଗରେ ପ୍ରାୟ ୭୩ ଲକ୍ଷ ୩୯ ହଜାରଙ୍କୁ ବାଦ୍‌ ଦିଆଯାଇଛି। ସେହିପରି ଅନ୍ୟ ୯୨ ଲକ୍ଷ ୮୮ ହଜାର ଭୋଟରଙ୍କ ନାମରେ ଅସଙ୍ଗତି ରହିଥିବା ଚିହ୍ନଟ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର।

Leave a Reply

Your email address will not be published. Required fields are marked *