ମୁମ୍ବଇ: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ୨୦୨୯ ସୁଦ୍ଧା ଏନଡିଏ ଶାସିତ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିଦିଆଯିବ ବୋଲି କହିଛନ୍ତି। ଏବେ କିଛି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୯ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଜେପି ୨୦୨୪ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରୁଛି। ସୂଚନା ଅନୁଯାୟୀ, ପ୍ରଥମ ଏନଡିଏ ଶାସିତ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଗତ ବର୍ଷ ଜାନୁଆରୀରେ ୟୁସିସି କାର୍ଯ୍ୟକାରୀ ହୋଇଥିଲା। ଗୁଜରାଟ, ଆସାମ, ମଧ୍ୟପ୍ରଦେଶ ବିଧାନସଭାରେ ମଧ୍ୟ ଏ ସମ୍ବନ୍ଧିତ ପ୍ରସ୍ତାବ ଗୃହୀତ ହୋଇସାରିଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ।ସେହିପରି ୟୁସିସି କାର୍ଯ୍ୟକାରୀ କରିବା ପାଇଁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ କମିଟି ଗଠନ କରାଯାଇଛି। ଏହି କମିଟି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବ। ମୁମ୍ବଇରେ ବିଜେପିର ସେବା ସଙ୍କଳ୍ପ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା କରିଛନ୍ତି। ୟୁସିସିରେ ଧର୍ମ ନିର୍ବିଶେଷରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ଗ୍ରହଣ ଭଳି ପ୍ରସଙ୍ଗଗୁଡ଼ିକରେ ସମସ୍ତ ନାଗରିକଙ୍କ ପାଇଁ ଏକ ସାଧାରଣ ଆଇନ ରହିଥାଏ। ଧର୍ମ-ଭିତ୍ତିକ ବ୍ୟକ୍ତିଗତ ଆଇନଗୁଡ଼ିକୁ ଏକକ ବ୍ୟବସ୍ଥାକୁ ଆଣି ଆଇନ ଆଗରେ ସମାନତା ସୁନିଶ୍ଚିତ କରିବା ଏବଂ ଜାତୀୟ ଅଖଣ୍ଡତାକୁ ପ୍ରୋତ୍ସାହନ ଦେବା ୟୁସିସିର ଲକ୍ଷ୍ୟ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା : ୨୦୨୯ ସୁଦ୍ଧା ଏନଡିଏ ଶାସିତ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ ହେବ
