ଗଞ୍ଜାମ ଜିଲ୍ଲାର ବନ୍ୟାଞ୍ଚଳରେ ଖାଦ୍ୟ, ପାଣି ଓ ଔଷଧ ଯୋଗାଣକୁ ନେଇ କଡ଼ା ନିର୍ଦ୍ଦେଶ

ବ୍ରହ୍ମପୁର: ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର କୌଣସି ଅଞ୍ଚଳର ଜଣେ ହେଲେ ଲୋକ ଯେପରି ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅତ୍ୟାବଶ୍ୟକ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସହାୟତା ଓ ଅତ୍ୟାବଶ୍ୟକ ସେବା ଯୋଗାଣକୁ ଆହୁରି ତ୍ୱରାନ୍ୱିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ଆଜି ଅପରାହ୍ନରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଓ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇ ବନ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ବଣ୍ଟନ ଓ ଜନସାଧାରଣଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲାରେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନିରନ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ସ୍ୱେଚ୍ଛାସେବୀମାନେ ମଧ୍ୟ ଏହି ମାନବୀୟ ସେବା କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି।
ଜିଲାର ପ୍ରାୟ ସମସ୍ତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଯାଇଛି। ବିଶେଷକରି ଆସିକା, ଭଞ୍ଜନଗର, ଧରାକୋଟ, ପୁରୁଷୋତ୍ତମପୁର, ଶେରଗଡ଼, ସୋରଡ଼ା ଓ ହିଞ୍ଜିଳିର ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ଡଙ୍ଗା ଯୋଗେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଯାଉଛି। ପ୍ରଭାବିତ ଲୋକଙ୍କ ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହିସବୁ ଅଞ୍ଚଳରେ ରାତିରେ ମଧ୍ୟ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ଯେପରି କେହି ଭୋକିଲା ନ ରହନ୍ତି, ସେଥିପ୍ରତି କ୍ଷେତ୍ରସ୍ତରୀୟ ଅଧିକାରୀ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଞ୍ଚଳରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ବିଡିଓ ଓ ତହସିଲଦାରମାନେ ତୁରନ୍ତ ଅବଗତ କରାଇଲେ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଆୟୁକ୍ତ ଓ ଜିଲାପାଳ ସ୍ପଷ୍ଟ କରିଛନ୍ତି। ପାନୀୟ ଜଳର ଆବଶ୍ୟକତା ପୂରଣ ପାଇଁ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଟ୍ରକ୍ ପାଣି ବୋତଲ ଏବଂ ବବଲ୍ ଟପ୍ ଜାର ପଠାଯାଉଛି। ଏହାଦ୍ୱାରା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରାଯାଇପାରିବ।

Leave a Reply

Your email address will not be published. Required fields are marked *