‘ଇ-୨୦ ପେଟ୍ରୋଲରେ ମାଇଲେଜ୍‌ ୨ରୁ ୬% ହ୍ରାସ ପାଇବ’ :ମନ୍ତ୍ରୀ ନିତିନ ଗଡକରୀ

ନୂଆଦିଲ୍ଲୀ : ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର କରିବା ଦ୍ବାରା ଗାଡିର ମାଇଲେଜ୍‌ ୨ରୁ ୬% ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ସଂସଦରେ ଦେଇଥିବା ଲିଖିତ ଉତ୍ତରରେ ଜଣାଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗାଡ଼ିର ପ୍ରକାର ଭେଦ (କ୍ୟାଟେଗୋରୀ), ମଡେଲ, କେତେ ବର୍ଷର ପୁରୁଣା ଗାଡି ଆଧାରରେ ଇନ୍ଧନ କାର୍ଯ୍ୟଦକ୍ଷତା ବା ମାଇଲେଜ୍ ୨ ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବ। ଅଟୋମୋଟିଭ୍‌ ରିସର୍ଚ୍ଚ ଆସୋସିଏସନ୍‌ ଅଫ୍ ଇଣ୍ଡିଆ (ଏଆରଏଆଇ), ଦ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକ୍‌ଚରସ୍‌ (ଏସ୍‌ଆଇଏଏମ୍‌) ଓ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ୍‌)ର ମିଳିତ ଅଧ୍ୟୟନ ଅନୁଯାୟୀ ଇ-୨୦ ପେଟ୍ରୋଲ ବ୍ୟବହାର ଦ୍ବାରା ଗାଡିର ମାଇଲେଜ୍ ସାମାନ୍ୟ ହ୍ରାସ ପାଇବ। ତେବେ ଏହି ପେଟ୍ରୋଲ ବ୍ୟବହାର ଦ୍ବାରା ଗାଡ଼ିର ଆକ୍ସିଲେରେସନ୍ ଓ ରାଇଡ୍ କ୍ୱାଲିଟି ଉନ୍ନତ ରହିଥାଏ। ଇ-୧୦ ପେଟ୍ରୋଲ ତୁଳନାରେ ଇ-୨୦ରେ ପ୍ରାୟ ୩୦% କମ୍ କାର୍ବନ୍ ନିର୍ଗମନ ହୋଇଥାଏ, ଯାହା ପରିବେଶ ପାଇଁ ଲାଭଦାୟକ। ଗାଡ଼ିର ମାଇଲେଜ୍ କମିଲେ ମଧ୍ୟ ଇ-୨୦ ଇନ୍ଧନ ଯୋଗୁଁ ଇଞ୍ଜିନ୍ ଖରାପ କିମ୍ବା ଫେଲ୍ ହେବାର କୌଣସି ପ୍ରମାଣ ମିଳି ନାହିଁ। ଇ-୨୦ ଇନ୍ଧନ ବ୍ୟବହାର କରିବା ଦ୍ୱାରା ବିଏସ୍‌-୩ ଓ ୨୦୧୬ ପୂର୍ବରୁ ନିର୍ମିତ କିଛି ପୁରୁଣା ଗାଡ଼ିଗୁଡ଼ିକରେ କେବଳ କିଛି ରବର୍ ପାର୍ଟସ୍ ଓ ଗାସ୍କେଟ୍ ବଦଳାଇବାର ଆବଶ୍ୟକତା ପଡ଼ିପାରେ, ଯାହା ସାଧାରଣ ସର୍ଭିସିଂ ସମୟରେ କରାଯାଇପାରିବ।

Leave a Reply

Your email address will not be published. Required fields are marked *