ଜୟପୁର:ସାରା ଦେଶରେ ପ୍ରଶ୍ନ ପତ୍ର ଲିକ୍ ଘଟଣା ଚର୍ଚ୍ଚାର କେନ୍ଦବିନ୍ଦୁ ସାଜିଥିବା ବେଳେ ପୁଣି ବିଦ୍ୟୁତ ବିଭ୍ରାଟ କାରଣରୁ ପରୀକ୍ଷାରୁ ବଞ୍ଚିତ ହେଲେ ୪୯ ପରୀକ୍ଷାର୍ଥୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୟପୁର ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ। ଅଖିଳ ଭାରତୀୟ ଆୟୁଷ ପୋଷ୍ଟ-ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା (AIAPGET) ଶନିବାର ଦେଶର ୨୦୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସିଫ୍ଟ-୧ରେ ମୋଟ ୩୬,୯୭୯ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ ୩୫,୮୩୭ ଜଣ ପରୀକ୍ଷା ଦେଇଥିଲେ। ଜାତୀୟ ପରୀକ୍ଷା ଏଜେନ୍ସି (NTA) ଅନୁସାରେ, ଜୟପୁରର ଶ୍ରୀ ସତ୍ୟ ସାଇ ପିଜି କଲେଜ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଥିଲା।
ଏହି କେନ୍ଦ୍ରରେ ୧୯୨ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଫଳରେ ସମଗ୍ର ଦେଶରେ ପ୍ରଭାବିତ କେନ୍ଦ୍ରକୁ ବାଦ ଦେଲେ ୩୫,୭୮୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏଜେନ୍ସି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରୀକ୍ଷା ଦେଇପାରିନଥିବା ୪୯ ଜଣ ପ୍ରାର୍ଥୀଙ୍କ ପାଇଁ ପୁନଃପରୀକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।
