ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା : ୧୯ରେ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଭିତରେ ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବ କି ନାହିଁ, ତା’ ଉପରେ ପାଣିପାଗ ବିଜ୍ଞାନୀମାନେ ଭିନ୍ନଭିନ୍ନ ମତ ପ୍ରକାଶ କରୁଥିବା ବେଳେ ଏହା ଉପରେ ସ୍ପଷ୍ଟ ମତ ରଖିଛନ୍ତି ଆଇଏମ୍‌ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି, ଅଦ୍ୟାବଧି ବାତ୍ୟା ଉପରେ ଆଇଏମ୍‌ଡି ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନାହିଁ। ବାତ୍ୟା ଗୁଜବ ଉପରେ ଲୋକେ ବିଶ୍ବାସ କରନ୍ତୁ ନାହିଁ। କିନ୍ତୁ ଆଜି ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ୧୮ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିବ। ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ।
ଏହା କେତେ ଶକ୍ତିଶାଳୀ ହେବ, ଅବପାତ କି ଗଭୀର ଅବପାତ ହେବ ଏବଂ ବାତ୍ୟା ହେବ କି ନାହିଁ ତାହା ଉପରେ ଏବେ ପୂର୍ବାନୁମାନ କରାଯାଇନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ୧୯ ତାରିଖ ବେଳକୁ ବାତ୍ୟା ଉପରେ ଅଧିକ ସ୍ପଷ୍ଟତା ଆସିପାରିବ। ସିଷ୍ଟମ ଉପରେ ପାଣିପାଗ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଡିଜି ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *