ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ପରିପ୍ରେକ୍ଷୀରେ ଆଗାମୀ ୪ ବର୍ଷ ପାଇଁ ୪୬.୬ ଲକ୍ଷ ମାଧ୍ୟମିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ୩୫୦୬.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ବର୍ଷରେ ୬୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୮୯୬୨ ଶିକ୍ଷାନୁଷ୍ଠାନର ୧୧ ଲକ୍ଷ ୨୩ ହଜାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିଲା।ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାଦାନ ପାଇଁ ରାଜ୍ୟ କ୍ୟାବିନେଟ ୫୪୬୭.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଚଳିତ ବର୍ଷରେ ୮୯୫.୫୭ କୋଟି ଟଙ୍କା ବ୍ୟୟ କରାଯିବ। ଏହି ଐତିହାସିକ ନିଷ୍ପତ୍ତି ଦ୍ବାରା ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ କିମ୍ବା ପାଠପଢ଼ା ମଝିରୁ ଛାଡ଼ିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ନିଃଶୁଳ୍କ ଥିଲା। ତେବେ ୨୦୨୬-୨୭ ଶିକ୍ଷା ବର୍ଷରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମରୁ ଦ୍ବାଦଶ ଶ୍ରେଣୀ ଏବଂ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ନିୟମିତ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମରେଅଧ୍ୟୟନରତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଏହି ଯୋଜନାରେ ସ୍ବୟଂ-ଅର୍ଥପୋଷିତ (ସେଲ୍ଫ ଫାଇନାନ୍ସିଂ), ଅଣ ଅନୁଦାନପ୍ରାପ୍ତ, ପିପିପି ମୋଡ୍ ପରିଚାଳିତ ଅନୁଷ୍ଠାନ ଓ ପାଠ୍ୟକ୍ରମ ତଥା ବୃତ୍ତିଗତ, ବୈଷୟିକ ପାଠ୍ୟକ୍ରମ ଗୁଡ଼ିକୁ ସାମିଲ କରାଯାଇ ନାହିଁ। କେବଳ ଯୋଗ୍ୟ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ନିୟମିତ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ।
ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
