ଗୁଡ଼ାରୀ : ଗାଁକୁ ରାସ୍ତା ନାହିଁ। ଆମ୍ବୁଲାନ୍ସ ଯାଇପାରୁନାହିଁ। ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ନେବାକୁ ଗ୍ରାମବାସୀଙ୍କ ଭରସା ଖଟିଆ। ଏଭଳି ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ପୁଣିଥରେ ପ୍ରଶାସନର ଗ୍ରାମାଞ୍ଚଳ ପ୍ରତି ଅବହେଳାକୁ ପଦାରେ ପକାଇଛି।
ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମର ୨୫ ବର୍ଷୀୟା ସୁମି କାଡ୍ରାକ ୯ ମାସର ଗର୍ଭବତୀ। ପ୍ରଥମ ସନ୍ତାନ ପ୍ରସବ ପାଇଁ ତାଙ୍କୁ ଚିକିତ୍ସାଳୟ ନେବାର ଆବଶ୍ୟକତା ପଡ଼ିଥିଲା। ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଶେଷରେ ଖଟିଆ ହିଁ ପାଲଟିଥିଲା ଆମ୍ବୁଲାନ୍ସର ବିକଳ୍ପ। ପରିବାର ଲୋକ ଓ ଗ୍ରାମବାସୀ ସୁମିଙ୍କୁ ଖଟିଆରେ ବୋହି ସାଡକଣାରୁ ବଡ଼ପଙ୍କାଳ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ନେଇଥିଲେ। ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସୁମିଙ୍କ ସ୍ୱାମୀ ଲାଜର କାଡ୍ରାକ। ସାଡକଣାକୁ ଯିବା ପାଇଁ ଦୁଇଟି ରାସ୍ତା ରହିଥିଲେ ମଧ୍ୟ ଗୋଟିଏ ପଟେ ନାଳ ଓ ଅନ୍ୟପଟେ କାଦୁଅପଚପଚ ରାସ୍ତା ଯୋଗୁଁଁ ବର୍ଷାଦିନେ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି। ଚାରିଚକିଆ ଯାନ ତ ଦୂରର କଥା, ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗାଁ ନିକଟକୁ ପହଞ୍ଚିପାରୁନାହିଁ। ଫଳରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଜୀବନକୁ ବାଜି ଲଗାଇ ଲୋକଙ୍କ କାନ୍ଧରେ ବୋହିବାକୁ ପଡ଼ୁଛି। ସବୁଠାରୁ ଦୁଃଖର ବିଷୟ, ଏହି ରାସ୍ତା ସମସ୍ୟା ଆଜିର ନୁହେଁ। ଗର୍ଭବତୀ ମହିଳାଙ୍କ ପାଇଁ ଯେଉଁଠି ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ରହିବା କଥା, ସେଠାରେ ୩.୫ କିଲୋମିଟର ଖଟିଆରେ ବୋହି ନେବାକୁ ପଡ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି।
ପୁଣି ପଦାରେ ପଡ଼ିଲା ପ୍ରଶାସନର ଅବହେଳା , କାନ୍ଧରେ ବୁହାହେଲେ ଗର୍ଭବତୀ
