ଗିନିଜ ୱାର୍ଲ୍ଡ ରେକର୍ଡ : ୧୮ ବର୍ଷୀୟ ଯୁବକ ହେଲେ ପ୍ରାଧ୍ୟାପକ

ୱାଶିଂଟନ: ବୟସ କେବଳ ଏକ ସଂଖ୍ୟା ମାତ୍ର। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ଜଣେ ଆମେରିକୀୟ ନାଥାନ ଥୋମାସ। ତିନି ଶତାଦ୍ଦୀରୁ ଅଧିକ ସମୟ ଧରି ଅକ୍ଷୁର୍ଣ୍ଣ ଥିବା ଗିନିଜ ୱାର୍ଲ୍ଡ ରେକର୍ଡକୁ ସେ ନିଜ ନାମରେ କରିଛନ୍ତି। ବିଶ୍ବର ସବୁଠାରୁ ଯୁବ ପ୍ରାଧ୍ୟାପକ (ପୁରୁଷ) ହୋଇ ୩୦୬ ବର୍ଷର ରେକର୍ଡକୁ ନାଥାନ ଭାଙ୍ଗି ଦେଇଛନ୍ତି। ୧୮ ବର୍ଷ ୩୪୬ ଦିନର ନାଥାନ ‘ମିଆମି ଡାଡେ କଲେଜ’ରେ ଇଞ୍ଜିନିୟରିଂ ଇନଷ୍ଟ୍ରକ୍ଟର ଭାବେ ଯୋଗ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଏହା ତାଙ୍କର ଅସାଧାରଣ ଯାତ୍ରାକୁ ଦେଖାଉଛି। ୧୮ ବର୍ଷ ବୟସରେ ପିଲା ନିଜ ମହାବିଦ୍ୟାଳୟରେ ସେମିଷ୍ଟାର ଦେଉଥିବାବେଳେ ନାଥାନ ନିଜ ବୟସର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ପୂର୍ବରୁ ଏହି ରେକର୍ଡ ସ୍କଟଲାଣ୍ଡର ଗଣିତଜ୍ଞ କଲିନ ମାକ୍ଲୁରିନଙ୍କ ନାମରେ ଥିଲା। ସେ ୧୭୧୭ରେ ୧୯ ବର୍ଷ ବୟସରେ ପ୍ରାଧ୍ୟାପକ ହୋଇଥିଲେ।
ସୂଚନା ଅନୁଯାୟୀ, ନାଥାନଙ୍କ ଉଚ୍ଚ ଶିକ୍ଷାର ଯାତ୍ରା ଅନ୍ୟମାନଙ୍କ ତୁଳନାରେ ବହୁତ କମ ବର୍ଷ ବୟସରେ ଆରମ୍ଭ ହୋଇଥିଲା। ୧୦ ବର୍ଷ ବୟସରେ ସେ ଦ୍ବେତ ନାମଲେଖା କାର୍ଯ୍ୟକ୍ରମ ମାଧ୍ୟମରେ ମିଆମି ଡାଡେ କଲେଜରେ ନାମ ଲେଖାଇ ଥିଲେ। ଏଥିସହିତ ନାଥାନ ବିଦ୍ୟାଳୟରେ ପଢ଼ା ଜାରି ରଖିଥିଲେ। ୧୪ ବର୍ଷ ବେଳକୁ ସେ ‘ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍ ୟୁନିଭର୍ସିଟି’ରେ ପଢିଥିଲେ। ସେଠାରୁ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଅନର୍ସ ସହ ନିଜର ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ। କିଛି ବର୍ଷ ପରେ ସେ ପୁଣି ସେହି କଲେଜକୁ ଫେରିଥିଲେ ଯେଉଁଠାରେ ଦିନେ କୁନି ଛାତ୍ର ଭାବେ ପଢ଼ୁଥିଲେ। ଏଥର ସେ ଛାତ୍ର ନୁହେଁ, ବରଂ ଜଣେ ପ୍ରାଧ୍ୟାପକ ଭାବେ ଫେରିଥିଲେ। ୨୦୨୩ ଅଗଷ୍ଟରେ, ସେ ‘ସିଓପି ୨୨୭୦: ସି ଫର ଇଞ୍ଜିନିୟର୍ସ’ପଢ଼ାଇବା ଆରମ୍ଭ କରିଥିଲେ। ଏହି ପାଠ୍ୟକ୍ରମରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସି ପ୍ରୋଗ୍ରାମିଂ ପଢା ଯାଇଥାଏ। ଆଶ୍ଚର୍ଯ୍ୟର କଥା ହେଉଛି, ଛାତ୍ରଛାତ୍ରୀମାନେ ନାଥାନଙ୍କ ବୟସକୁ ଦେଖି ବ୍ୟଥିତ କିମ୍ବା ଚିନ୍ତିତ ହୁଅନ୍ତି ନାହିଁ।ଶିକ୍ଷା ବୟସ ଦ୍ବାରା ନୁହେଁ, ବରଂ ଜିଜ୍ଞାସା ଓ ପ୍ରତିବଦ୍ଧତା ଦ୍ବାରା ନିର୍ଦ୍ଧାରଣ ହୋଇଥାଏ ବୋଲି ନାଥାନ କୁହନ୍ତି। ସେ ଭବିଷ୍ୟତରେ ଓକିଲ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏବେ ସେ ‘ୟୁନିଭର୍ସିଟି ଅଫ ମିଆମି ସ୍କୁଲ ଅଫ ଲ’ରେ ଜୁରିସ ଡକ୍ଟର ଡିଗ୍ରୀ କରୁଛନ୍ତି।

Leave a Reply

Your email address will not be published. Required fields are marked *