ଖଣ୍ଡଗିରି ଥାନା ନିକଟରେ ଯୁବକଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ଵର:ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ଅପରାଧୀମାନେ ବେଖାତିର ହୋଇ ଖୋଲାଖୋଲି ଅପରାଧ ଘଟାଉଛନ୍ତି। ଏହାରି ମଧ୍ୟରେ ଖଣ୍ଡଗିରି ଥାନା ପଛପଟ ଅଞ୍ଚଳରେ ଏକ ଅଭାବନୀୟ ତଥା ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି।ମୃତ ଯୁବକ ଜଣକ ହେଲେ କୃଷ୍ଣ ପାଢ଼ୀ। ତାଙ୍କର ମୂଳ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଏମବିଏ (MBA) ପାଠ ପଢ଼ିଥିଲେ ଏବଂ ଭୁବନେଶ୍ୱରରେ ନିଜ ବାପା ଓ ଭଉଣୀଙ୍କ ସହ ରହୁଥିଲେ।

ସୂଚନା ଅନୁଯାୟୀ,ଗତକାଲି ରାତିରେ କୃଷ୍ଣ ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ କୌଣସି କାରଣରୁ ଘରେ ପଶି ଆସିଥିଲେ ଏବଂ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଏକ ଲୁହା ରଡ୍ ସାହାଯ୍ୟରେ କୃଷ୍ଣଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। କୃଷ୍ଣଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ହିମାଂଶୁ ପାଢ଼ୀ ଏବଂ ଭଉଣୀ ତାପସୀ ପାଢ଼ୀ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଉଭୟ ଗୁରୁତର ଆହତ ହୋଇଥିବା ବେଳେ, ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ବର୍ବର ହତ୍ୟାକାଣ୍ଡ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଖୋଦ୍ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *