ଘରେ କେହି ନ ଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଦିଗପହଣ୍ଡି : ଗଞ୍ଜାମ ଜିଲା ଦିଗପହଣ୍ଡି-ରାଜପୁର ରାସ୍ତାରେ ଭାସ୍କର ସାହୁଙ୍କ ଘରୁ ରବିବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ପାଚେରି ଡେଇଁ ଲୁହା ଗ୍ରିଲ୍‌ ଓ ମୁଖ୍ୟ କବାଟ ତାଲା ଭାଙ୍ଗି ଘରୁ ୩୦ ତୋଳା ସୁନା ଅଳଙ୍କାର ,୪୦ ତୋଳା ରୁପା ଅଳଙ୍କାର ଓ ନଗଦ ୮ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ଭାସ୍କର ସାହୁ ଓ ତାଙ୍କ ସ୍ତ୍ରୀ ପୁତୁରାର ମୃତ୍ୟୁ ଖବର ପାଇ ଗୋଳନ୍ଥରା ନିକଟସ୍ଥ ମନ୍ତ୍ରୀଡି ଗାଁକୁ ଯାଇଥିଲେ। ଘରେ ତାଙ୍କ ପୁଅ ଅଜିତ୍‍ ସାହୁ ଏକାକୀ ଥିଲେ। ସନ୍ଧ୍ୟା ୬ଟାରେ ଅଜିତ୍‍ ବ୍ୟାଡ଼ମିଣ୍ଟନ ଖେଳିବା ପାଇଁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ପୂର୍ବ ପ୍ରସ୍ତୁତି ଅନୁଯାୟୀ ଘରେ ପଶି ଦୁଇଟି ଆଲମିରାର ଲକର ଭାଙ୍ଗି ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇଯାଇଥିଲେ। ରାତି ୮ଟାରୁ ୯ଟା ମଧ୍ୟରେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜପୁର ରାସ୍ତା ଦିଗପହଣ୍ଡି ଅଞ୍ଚଳର ଏକ ଜନଗହଳିପୂର୍ଣ୍ଣ ରାସ୍ତା। ଏଭଳି ସ୍ଥାନରୁ ଚୋରି ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ରାଜକିଶୋର ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *