ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନବ ମହାକାଶ ଯାତ୍ରା ମିଶନ ‘ଗଗନଯାନ’ ଓ ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପରୁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଚାକିରି ଛାଡି ଚାଲିଯାଉଛନ୍ତି। ରିପୋର୍ଟ ଅନୁଯାୟୀ ଗତ କିଛି ମାସ ମଧ୍ୟରେ ଇସ୍ରୋର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ଶତାଧିକ ବୈଜ୍ଞାନିକ, ଇଞ୍ଜିନିୟର ଓ ଅନ୍ୟ ବିଶେଷଜ୍ଞମାନେ ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। ବୈଜ୍ଞାନିକ ଓ ଗ୍ରେଡ୍-ଏ’ ପଦରେ କାର୍ଯ୍ୟରତ କର୍ମଚାରୀମାନେ ଚାକିରି ଛାଡି ଚାଲିଯିବା ଦ୍ବାରା ପ୍ରକଳ୍ପ କାର୍ଯ୍ୟ ବାଧ୍ୟାପ୍ରାପ୍ତ ହୋଇଛି। ଏପରିସ୍ଥଳେ ସରକାର ବୈଜ୍ଞାନିକ ଓ ଅନ୍ୟ ବିଶେଷଜ୍ଞଙ୍କ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସର (ଭିଆରଏସ୍) ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ମହାକାଶ ବିଜ୍ଞାନ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଗଗନଯାନ କିମ୍ବା ଅନ୍ୟ କୌଣସି ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହିତ ଜଡ଼ିତ ଥିବା ‘ଗ୍ରୁପ୍ ଏ’ ବୈଜ୍ଞାନିକ ଓ ଅନ୍ୟ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା ସ୍ବେଚ୍ଛାକୃତ ଅବସର ଆବେଦନକୁ ସାଧାରଣ ନିୟମ ଅନୁଯାୟୀ ଗ୍ରହଣ କରାଯାଇପାରିବ ନାହିଁ। ପ୍ରକଳ୍ପ ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ସାଧାରଣ ଭାବେ ଚାକିରିରୁ ମୁକ୍ତ କରାଯିବ ନାହିଁ। ୨୦୨୦ ମସିହାରେ ହୋଇଥିବା ପ୍ରଶାସନିକ ସଂସ୍କାର ଅନୁଯାୟୀ, ଇସ୍ରୋ ବିଭିନ୍ନ କେନ୍ଦ୍ରର ନିର୍ଦ୍ଦେଶକମାନେ ନିଜ ସ୍ତରରେ ବୈଜ୍ଞାନିକମାନଙ୍କ ଇସ୍ତଫା ଗ୍ରହଣ କରିପାରୁଥିଲେ। କିନ୍ତୁ ନୂଆ ନିୟମ ଅନୁସାରେ, ଏହି କ୍ଷମତାକୁ ପ୍ରତ୍ୟାହାର କରାଯାଇଛି। ଏଣିକି ସମସ୍ତ ଭିଆରଏସ୍ ଓ ଇସ୍ତଫା ଆବେଦନର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମହାକାଶ ବିଜ୍ଞାନ ବିଭାଗକୁ ପଠାଯିବ। ରିପୋର୍ଟ ଅନୁଯାୟୀ, ବିଗତ କିଛି ମାସ ମଧ୍ୟରେ ପ୍ରାୟ ୧୦୦ ରୁ ୧୨୦ ଜଣ ଅଭିଜ୍ଞ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଇସ୍ରୋରୁ ଇସ୍ତଫା ଦେଇଛନ୍ତି। ଏଥିମଧ୍ୟରୁ ବେଙ୍ଗାଲୁରୁର ୟୁ.ଆର୍. ରାଓ ସାଟେଲାଇଟ୍ ସେଣ୍ଟରରୁ ୮୦ ଜଣ ଏବଂ ତିରୁଅନନ୍ତପୁରମର ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରୁ ପ୍ରାୟ ୨୦ ଜଣ ଅଛନ୍ତି। ଏପରିକି ଚନ୍ଦ୍ରଯାନ-୩ ଓ ଷ୍ପେସଡେକ୍ସ ଭଳି ମିଶନର ନେତୃତ୍ୱ ନେଉଥିବା କିଛି କର୍ମଚାରୀ ମଧ୍ୟ ଚାକିରି ଛାଡ଼ିଥିବା ସୂଚନା ମିଳିଛି।
ଚାକିରି ଛାଡୁଛନ୍ତି ଇସ୍ରୋ ବୈଜ୍ଞାନିକ
