ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗୁରୁବାର ସକାଳେ ଦିଲ୍ଲୀ-ଏନ୍ସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା। ଏୟାରପୋର୍ଟ ରୋଡ୍ର ଦ୍ୱାରକା ଅଣ୍ଡରପାସ୍ ସମେତ ବିଭିନ୍ନ ସ୍ଥାନରେ ପାଣି ଜମିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା।
ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ଗତ ଚାରି ଦିନ ଧରି ବର୍ଷା ଜାରି ରହିଛି। ଗତ ତିନି ଦିନରେ ୨୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଅନେକ ସହରାଞ୍ଚଳରେ ପାଞ୍ଚ ଫୁଟ୍ ପର୍ଯ୍ୟନ୍ତ ପାଣି ଜମିଛି। ଘର ଓ ହଷ୍ଟେଲରେ ପାଣି ପଶିଯିବାରୁ ବୁଧବାର ପ୍ରାୟ ୨ ହଜାର ଛାତ୍ର ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ଏହାସହ ଆଜି ମଧ୍ୟ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି।
