ଲର୍ଡସ: ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ର ଫାଇନାଲ ରବିବାର ଖେଳାଯିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏହି ଫାଇନାଲ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଏହି ବିଶ୍ବକପ୍ର ୧୦ମ ସଂସ୍କରଣରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ କୌଣସି ମ୍ୟାଚ୍ ହାରିନାହାନ୍ତି। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ଫାଇନାଲ ଖେଳିବେ। ୪ର୍ଥ ଥର ଉଭୟ ଦଳଙ୍କ ମଧ୍ୟରେ ଫାଇନାଲ ଖେଳାଯିବ। ଅଷ୍ଟ୍ରେଲିଆ ଶେଷ ୯ଟି ଓ ଇଂଲଣ୍ଡ ୮ଟି ଟ୍ବେଣ୍ଟି୨୦ ମ୍ୟାଚ୍ ହାରିନାହାନ୍ତି। ଅଷ୍ଟ୍ରେଲିଆ ଗତ ୯ଟି ସଂସ୍କରଣରେ ୬ ଥର ଚମ୍ପିଆନ୍ ହୋଇଛି। ଫାଇନାଲରେ ଅଷ୍ଟ୍ରେଲିଆ ମାତ୍ର ଥରେ ୨୦୧୬ରେ ୱେଷ୍ଟଇଣ୍ଡିଜ୍ଠାରୁ ପରାସ୍ତ ହୋଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଘରୋଇ ମାଟିରେ ଇଂଲଣ୍ଡ ୧୧ଟି ମ୍ୟାଚ୍ ଖେଳି ଗୋଟିଏ ମଧ୍ୟ ହାରିନାହିଁ। ପୁଣି ଘରୋଇମାଟିରେ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୧୧-୬ରେ ଆଗୁଆ ରହିଛି। ୨୦୦୯ରେ ଇଂଲଣ୍ଡ ବିଶ୍ବ ଚମ୍ପିଆନ୍ ହୋଇଥିଲା। ୨୦୨୦ ପରଠାରୁ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଟ୍ବେଣ୍ଟି୨୦ରେ ୬-୩ରେ ଏବଂ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ୫-୨ରେ ଆଗୁଆ ରହିଛି।
ମହିଳା ଟ୍ବେଣ୍ଟି ବିଶ୍ବକପ୍ ଫାଇନାଲ ଆଜି
