ରେଙ୍ଗାଲିକ୍ୟାମ୍ପ :ମଦ୍ୟପାନ ଯୋଗୁଁ ଉଜୁଡ଼ିଗଲା ଆଉ ଏକ ପରିବାର। ସାମାନ୍ୟ କଳିଝଗଡ଼ାରୁ ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟି ନୃଶଂସ ଭାବେ ହତ୍ୟା କରିଛି ମଦ୍ୟପ ସ୍ୱାମୀ। ଏଭଳି ଏକ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ଘଟିଛି ଅତାବିରା ବ୍ଲକ ଅନ୍ତର୍ଗତ ଅମାଲିପାଲି ପଞ୍ଚାୟତର ଗଡ଼ତିଆଟିକ୍ରା ସହରା ପଡ଼ାରେ। ପୋଲିସ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଗଡ଼ତିଆଟିକ୍ରା ସହରା ପଡ଼ାର ରାଜକୁମର ଖଡ଼ିଆ (୪୫) ନିୟମିତ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଭାଗ୍ୟବତୀଙ୍କ ସହ ଝଗଡ଼ା ଓ ଗଣ୍ଡଗୋଳ କରୁଥିଲା। ଗତକାଲି ରାତି ପ୍ରାୟ ୯ଟା ସମୟରେ ରାଜକୁମର ପୁଣି ମଦ୍ୟପାନ କରି ଆସି ସ୍ତ୍ରୀ ସହିତ ଝଗଡ଼ା କରିବା ସହ ମାରପିଟ୍ କରିଥିଲା। ବାପା-ମା’ଙ୍କ ଏପରି ବିବାଦ ଦେଖି ଭୟଭୀତ ହୋଇ ସେମାନଙ୍କ ୮ ବର୍ଷର ପୁଅ ଓ ୧୧ ବର୍ଷର ଝିଅ ଘରୁ ନିଜ ଅଜାଙ୍କ ଘରକୁ ପଳାଇ ଯାଇଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ରାଜକୁମର ଏକ ଠେଙ୍ଗାରେ ଭାଗ୍ୟବତୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଘଟଣାସ୍ଥଳରେ ହିଁ ଭାଗ୍ୟବତୀ ରକ୍ତାକ୍ତ ଅବସ୍ଥାରେ ଟଳିପଡ଼ି ପ୍ରାଣ ହରାଇଥିଲେ। ସ୍ତ୍ରୀକୁ ହତ୍ୟା କରିବା ପରେ ନିର୍ଦ୍ଦୟ ସ୍ୱାମୀ କୌଣସି ଅନୁତାପ ନକରି ଶବ ନିକଟରେ ହିଁ ରାତିସାରା ଆରାମରେ ଶୋଇ ରହିଥିଲା।
ଆଜି ସକାଳୁ ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରମାକାନ୍ତ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଗ୍ୟବତୀଙ୍କ ମୃତଦେହ ପଡ଼ିଥିବାର ଦେଖି ସେ ରାଜକୁମରକୁ ପଚରାଉଚୁରା କରିବାରୁ ସେ ନିଜେ ସ୍ତ୍ରୀକୁ ପିଟି ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। ଏହାପରେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ଗ୍ରାମର କ୍ଲବ ଘରେ ଅଟକ ରଖିବା ସହ ତୁରନ୍ତ ଅତାବିରା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାଜକୁମାରକୁ ଗିରଫ କରିଥିଲା।ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବରଗଡ଼ ଖେଦାପାଲିସ୍ଥିତ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାରର କେହି ନଥିବାରୁ ସରପଞ୍ଚ ପ୍ରତିନିଧି ଶ୍ରୀ ବିଶ୍ୱାଳ ବରଗଡ଼ର ସ୍ୱେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’କୁ ଲିଖିତ ଭାବେ ଅବଗତ କରାଇଥିଲେ। ଖବର ପାଇ ସଂକଳ୍ପ ପରିବାରର ସଦସ୍ୟମାନେ ପହଞ୍ଚି ମୃତଦେହକୁ ଗ୍ରହଣ କରି ସମ୍ମାନର ସହ ଅନ୍ତିମ ସଂସ୍କାର ସମ୍ପନ୍ନ କରିଥିଲେ।
ଅନ୍ୟପଟେ ବାପା ଜେଲ୍ ଯିବା ଓ ମା’ର ମୃତ୍ୟୁ ପରେ ଦୁଇ ନାବାଳକ ସନ୍ତାନ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ପିଲା ଦୁହିଁଙ୍କ ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଉଦ୍ବେଗ ପ୍ରକାଶ ପାଇଛି।
ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ଵାମୀ
