କଲକାତା: ପଶ୍ଚିମବଙ୍ଗ ବାରୁଇପୁର ନାବାଳିକା ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୁଲିସ ଏନ୍କାଉଣ୍ଟରରେ ପ୍ରାଣ ହରାଇଛି। ସୋମବାର ପଶ୍ଚିମବଙ୍ଗ ପୁଲିସ ତାକୁ ଗିରଫ କରିଥିଲା। ପ୍ରଭାସ ମଣ୍ଡଳକୁ ନେଇ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରାଇମ୍ ସିନ୍ ରିକ୍ରିଏସନ କରିବାକୁ ଯାଇଥିଲା। ଏହି ସମୟରେ ପ୍ରଭାସ ଜଣେ ପୁଲିସ ଅଧିକାରୀଙ୍କଠାରୁ ଏକ ରାଇଫଲ ଛଡ଼ାଇ ନେଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। ସେ ପୁଲିସ ଉପରେ ପ୍ରଥମେ ଗୁଳିଚାଳନା କରିଥିଲା। ଜବାବରେ ପୁଲିସ ପାଲଟା ଗୁଳିମାଡ଼ କରିବାରୁ ପ୍ରଭାସ ଗୁରୁତର ହୋଇଥିଲା। ତାକୁ ବାରୁଇପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ପ୍ରଭାସକୁ ମୃତ ଘୋଷଣା କରିଥିଲେ।
ପୁଲିସର ସୂଚନାନୁଯାୟୀ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ବାରୁଇପୁରରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା। ନାବାଳିକାର ମୃତଦେହ ସୂର୍ଯ୍ୟପୁର ହାଟ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ପୁଲିସ ଏହି ମାମଲାରେ ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବା ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କୁ ଏକ ଝୁମ୍ପୁଡ଼ି ଘରକୁ ନେଇଯାଇଥିଲା ଯେଉଁଠାରେ ଘଟଣା ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ଉପସ୍ଥିତ ଥିଲେ। ପ୍ରାଥମିକ ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପୀଡ଼ିତା ଜୀବିତ ଥିବାବେଳେ ତାଙ୍କୁ ଏକ ଅଖାରେ ଭର୍ତ୍ତି କରି ପୋଖରୀକୁ ଫିଙ୍ଗି ଦେଇଥିଲେ। ତେବେ ମୃତ୍ୟୁର ପ୍ରକୃତ କାରଣ ଫୋରେନସିକ୍ ଓ ଭିସେରା ପରୀକ୍ଷା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ବାରୁଇପୁର-ଜୟନଗର ରାସ୍ତା ଅବରୋଧ କରି ଟାୟାର ଜାଳି ଓ ପୁଲିସ ଗାଡ଼ି ଭଙ୍ଗାରୁଜା କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମା’ କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଗ୍ରହଣ କରିବେ ନାହିଁ, କାରଣ ସେ ତାଙ୍କ କାର୍ଯ୍ୟ ପାଇଁ ଦଣ୍ଡ ପାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ପ୍ରଭାସଙ୍କ ମା’ କହିଛନ୍ତି, ‘ଦୁଇ ଜଣ ପୁଲିସ ଅଧିକାରୀ ମୋ ଘରକୁ ଆସିଥିଲେ। ସେମାନେ ମୋତେ ଜଣାଇଥିଲେ ଯେ ମୋ ପୁଅର ମୃତ୍ୟୁ ହୋଇଛି ଏବଂ ମୁଁ ଡାକ୍ତରଖାନା ଯିବାକୁ ଚାହୁଁଛି କି ନାହିଁ ? ମୁଁ ସେମାନଙ୍କୁ କହିଥିଲି ଯେ ମୋ ସ୍ବାମୀ ଅସୁସ୍ଥ ଥିବାରୁ ମୁଁ ଯାଇପାରିବି ନାହିଁ।’ ସେ ଆହୁରି କହିଛନ୍ତି, ‘ମୁଁ ସେମାନଙ୍କୁ ଯାହା ଇଚ୍ଛା କର କରିବାକୁ କହିଥିଲି; ମୋର କୌଣସି ଆପତ୍ତି ନାହିଁ। ମୋ ପୁଅ ତାଙ୍କ କାର୍ଯ୍ୟ ପାଇଁ ଦଣ୍ଡ ପାଇଛି। ମୁଁ ତାଙ୍କ ମୃତଦେହ ଗ୍ରହଣ କରିବି ନାହିଁ।’
ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ; ପୁଲିସର ଏନ୍କାଉଣ୍ଟରରେ ଅଭିଯୁକ୍ତ ମୃତ
