ନାନ୍ଦେଦ:ମହାରାଷ୍ଟ୍ରର ନାନ୍ଦେଦସ୍ଥିତ ମାତା ସାହିବ କୌର ଗୁରୁଦ୍ୱାର ପରିସରରେ ଗୁରୁବାର ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ତଥା ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ, ବାଦଲ ନାନ୍ଦେଦରେ ପହଞ୍ଚିବାର କିଛି ସମୟ ପରେ ସକାଳ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଥିଲା। ଆକ୍ରମଣରେ ତାଙ୍କ ଡାହାଣ ହାତରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଯଶୋସାଇ ହସ୍ପିଟାଲକୁ ନିଆଯାଇଛି। ସେ ବିପଦମୁକ୍ତ ଥିବା ସୂଚନା ମିଳିଛି।
ଆକ୍ରମଣ ସମୟରେ ବାଦଲଙ୍କ ସୁରକ୍ଷାରେ ନିୟୋଜିତ ଇନ୍ସପେକ୍ଟର ସନ୍ତୋଷ କେନ୍ଦ୍ରେ ମଧ୍ୟ ଆକ୍ରମଣକାରୀଙ୍କୁ ରୋକିବାକୁ ଉଦ୍ୟମ କରି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।ଘଟଣା ପରେ ପୁଲିସ ତୁରନ୍ତ ଆକ୍ରମଣକାରୀଙ୍କୁ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯିବା ସହ ଆକ୍ରମଣର କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି।ସୁଖବୀର ସିଂହ ବାଦଲ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପୁଅ। ତାଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ। ୨୦୨୪ ଡିସେମ୍ବରରେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ତାଙ୍କ ଉପରେ ଗୁଳି ଚଳାଇବାର ଉଦ୍ୟମ ହୋଇଥିଲା।
