ନୂଆଦିଲ୍ଲୀ: ଆଇପିଏଲ-୨୦୨୭ ପାଇଁ ଟ୍ରେଡ୍ ଲିଷ୍ଟ ଆସିବା ପୂର୍ବରୁ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ହାର୍ଦିକ ବର୍ତ୍ତମାନ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ ରହିଛନ୍ତି। ୨୦୨୪ରେ ହାର୍ଦିକ ମୁମ୍ବଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ; ଅାଉ ତାଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା। କିନ୍ତୁ ତାଙ୍କ ଅଧିନାୟକତ୍ବରେ ମୁମ୍ବଇ ଇଣ୍ଡିଆନ୍ସ ଖରାପ ପ୍ରଦର୍ଶନ କରିଥିଲା। ଏଭଳି ପରିସ୍ଥିତି ପାଇଁ କୁହାଯାଉଛି ଯେ ୨୦୨୭ ପାଇଁ ହାର୍ଦିକଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ରଖିବ ନାହିଁ। ହାର୍ଦିକଙ୍କୁ ଟ୍ରେଡ୍ କରିବା ପାଇଁ ଏକାଧିକ ଦଳ ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିରେ ଚେନ୍ନଇ ସୁପରକିଙ୍ଗ୍ସ ସବୁଠୁ ଆଗରେ ରହିଛି। ଏହାଛଡ଼ା ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କଲକାତା ନାଇଟ୍ ରାଇଡର୍ସ ଭଳି ଦଳ ମଧ୍ୟ ହାର୍ଦିକଙ୍କୁ େନବା ପାଇଁ ଚାହଁୁଛନ୍ତି। ଏସବୁ ଚର୍ଚ୍ଚା ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ହାର୍ଦିକ ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟାନ୍ସକୁ ଫେରିବା ନେଇ କଥାବାର୍ତ୍ତା କରିଥିଲେ। ରିପୋର୍ଟ ଅନୁସାରେ ହାର୍ଦିକ ଗୁଜରାଟ ଟାଇଟାନ୍ସର ମ୍ୟାନେଜମେଣ୍ଟ ସହ କଥା ହୋଇଥିଲେ। ଦଳର ଅଧିନାୟକ ଶୁବମନ ଗିଲ୍ ମଧ୍ୟ ହାର୍ଦିକଙ୍କ ପ୍ରତ୍ୟାବର୍ତ୍ତନରେ ସହମତି ଜଣାଇଥିଲେ। କିନ୍ତୁ ଡିଲ୍ ହୋଇପାରିନାହିଁ। ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଗୁଜରାଟ ଆଗରେ ହାର୍ଦିକ ଅଧିନାୟକ ସର୍ତ୍ତ ରଖିଥିଲେ। କିନ୍ତୁ ଫ୍ରାଞ୍ଚାଇଜ୍ ତାଙ୍କ ସର୍ତ୍ତକୁ ମାନିବାକୁ ମନା କରିଦେଇଛି। ଏହି କାରଣରୁ ଗୁଜରାଟ ଟାଇଟାନ୍ସ ସହ ହାର୍ଦିକଙ୍କ ଟ୍ରେଡ୍ ହୋଇପାରିନାହିଁ।
ଆଇପିଏଲ-୨୦୨୭ ପାଇଁ ଟ୍ରେଡ୍ ଲିଷ୍ଟ ଆସିବା ପୂର୍ବରୁ ପୁରୁଣା ଦଳକୁ ଫେରିବାକୁ ଚାହୁଁଛନ୍ତି ହାର୍ଦିକ !
