ଭୁବନେଶ୍ବର: ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାକୁ ନେଇ ତଦନ୍ତରେ ଆଗକୁ ବଢିଛି କ୍ରାଇମବ୍ରାଞ୍ଚ। ଗାୟବ ହୋଇଥିବା ଫାଇଲ୍ର ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି।ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO), ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ଫାଇଲ୍ ସମ୍ପର୍କିତ ଆବଶ୍ୟକ ତଥ୍ୟ ମଗାଯାଇଛି।
ତଦନ୍ତକାରୀ ସଂସ୍ଥା ଜାଣିବାକୁ ଚାହିଁଛି ଯେ, ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ ସମ୍ବନ୍ଧୀୟ ଫାଇଲ୍ କେଉଁ ବିଭାଗରେ ରହିଥିଲା ଏବଂ ଏହାର ଦାୟିତ୍ୱ କାହା ପାଖରେ ଥିଲା।
ନାଇଡୁ କମିଶନ ରିପୋର୍ଟ ଗାୟବ ହେବା ଘଟଣାକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଏବେ କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଫାଇଲ୍ର ରହସ୍ୟ ଉପରୁ ପରଦା ହଟିବା ଆଶା କରାଯାଉଛି।
ଫାଇଲ୍ କେବେ ଗାୟବ ହେଲା, କାହା ନିକଟରେ ଥିଲା ଏବଂ ଏଥିରେ କାହାର ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
