ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପ୍ରଲମ୍ବାସୁର ବଧ ବେଶ। ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀସୁଭଦ୍ରା ସାଧାରଣ ବେଶରେ ବିରାଜମାନ କରୁଥିବା ବେଳେ, କେବଳ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାରି ବେଶରେ ସଜ୍ଜିତ କରାଯାଇଥାଏ। ବଡ଼ଠାକୁରଙ୍କ ଦୁଇ ହସ୍ତରେ ହଳ ଓ ମୁଷଳ ଶୋଭା ପାଇଥାଏ। ବେଶର ବିଶେଷ ଆକର୍ଷଣ ପାଲଟିଥାଏ ପ୍ରାୟ ୪ ଫୁଟ ଉଚ୍ଚର କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି। ରତ୍ନସିଂହାସନରେ ବିରାଜମାନ ଶ୍ରୀବଳଭଦ୍ରଙ୍କ ନିମ୍ନଭାଗରେ ଏହି ମୂର୍ତ୍ତିକୁ ସଜ୍ଜାଯାଇଥାଏ। ପ୍ରଳମ୍ବାସୁରର ସ୍କନ୍ଧ ଓ ଦୁଇ ଭୁଜ ଉପରେ ଶ୍ରୀବଳଭଦ୍ର ବିରାଜମାନ କରିଥିବା ଦୃଶ୍ୟ ବେଶରେ ପ୍ରତିଫଳିତ ହୋଇଥାଏ। ବେତ, ଧଳା ଓ ନେଳି କନା ଏବଂ କଇଁଥ ଅଠାରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଥାଏ। ଶ୍ରୀମନ୍ଦିରର ପାରମ୍ପରିକ ଚିତ୍ରକାର ଓ ସୋଲ କାରିଗରମାନେ ଏହି ବେଶ ପାଇଁ ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ଏହି ପାରମ୍ପରିକ ପ୍ରଳମ୍ବାସୁର ବଧ ବେଶ ଦର୍ଶନ କରି ଭକ୍ତମାନେ ଆଧ୍ୟାତ୍ମିକ ଭାବନାରେ ବିଭୋର ହୋଇଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ପ୍ରଲମ୍ବାସୁର ବଧ ବେଶ ଅନୁଷ୍ଠିତ
