ଅନୁଗୋଳ :ମାରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବିରେ ଆଞ୍ଚଳିକ ବହୁଜନ ସମିତି ସଂଗଠନ ପକ୍ଷରୁ କଣ୍ଟାବଣିଆ ଥାନା ଘେରାଉ କରାଯାଇଛି। ସଂଗଠନର ସଭାପତି ମହେଶ୍ୱର ବେହେରାଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଓ ସଦସ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ଗୋଚର ଜମିକୁ ନେଇ ବିବାଦ ଉପୁଜିଥିଲା। ଏହି ଘଟଣାରେ ଜଣେ ଦଳିତ ଯୁବକ ଭିଡିଓ କରୁଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯଶୋବନ୍ତ ନାଏକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।
ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ଗିରଫ ହୋଇନଥିବା ଅଭିଯୋଗ କରି ସଂଗଠନ ପକ୍ଷରୁ ଆଜି ପ୍ରତିବାଦ କରାଯାଇଥିଲା। କଣ୍ଟାବଣିଆ ଛକ ଓଭରବ୍ରିଜ ନିକଟରୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ପଦଯାତ୍ରାରେ ବାହାରି କଣ୍ଟାବଣିଆ ଥାନା ସମ୍ମୁଖରେ ପହଞ୍ଚିଥିଲେ। ପରେ ସେଠାରେ ଥାନା ଘେରାଉ କରି ନାରାବାଜି କରିଥିଲେ।
ପ୍ରଚଣ୍ଡ ତାପମାତ୍ରା ସତ୍ତ୍ୱେ ମଧ୍ୟ ବହୁ ସଂଖ୍ୟକ ସଦସ୍ୟ ଓ କର୍ମୀ ଥାନା ସମ୍ମୁଖରେ ଉପସ୍ଥିତ ରହି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ SDPOଙ୍କୁ ଛଅ ଦଫା ଦାବି ସମ୍ବଳିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ସହ ଘଟଣାର ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯାଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସଂଗଠନ ପକ୍ଷରୁ ଥାନା ଘେରାଉ ପ୍ରତ୍ୟାହାର କରାଯାଇଥିଲା।
ଆଞ୍ଚଳିକ ବହୁଜନ ସମିତି ପକ୍ଷରୁ କଣ୍ଟାବଣିଆ ଥାନା ଘେରାଉ
