କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିସନ ପରିଚାଳିତ ପ୍ରାଣୀ ଚିକିତ୍ସକ ନିଯୁକ୍ତିରେ ଅନିୟମିତତା ମାମଲା : ୨୧ ସ୍ଥାନରେ ଇଡି ଚଢ଼ଉ

ବେଙ୍ଗାଲୁରୁ: କର୍ଣ୍ଣାଟକ ପବ୍ଲିକ ସର୍ଭିସ କମିସନ (କେପିଏସ୍‌ସି) ପରିଚାଳିତ ପ୍ରାଣୀ ଚିକିତ୍ସକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କର୍ଣ୍ଣାଟକ ଓ ଅହମଦାବାଦ୍‌ର ୨୧ ସ୍ଥାନରେ ଚଢ଼ଉ କରିଛି। ବେଆଇନ ଅର୍ଥ କାରବାର ନିୟନ୍ତ୍ରଣ ଆଇନ ଅନୁଯାୟୀ ଇଡି ଏହି ଚଢ଼ଉ କରିଛି। କେପିଏସ୍‌ସିର କାର୍ଯ୍ୟାଳୟ, କେବିଏସ୍‌ସିର ନିଲମ୍ବିତ ଅଧ୍ୟକ୍ଷ ଶିବଶଙ୍କରପ୍ପା ଏସ୍‌. ସାହୁକାର, କେପିଏସ୍‌ସି ସଦସ୍ୟ ଶାନ୍ତି ହୋସ୍‌ମଣି, ଅର୍ଥ କାରବାରରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତି, ପ୍ରାଣୀ ଚିକିତ୍ସକ ଭାବେ ନିଯୁକ୍ତି ପାଇଥିବା ପରୀକ୍ଷାର୍ଥୀଙ୍କ ଘର ଉପରେ ଚଢ଼ଉ କରାଯାଇଛି। ଏଥିସହ ଉତ୍ତର ଖାତାକୁ ଡିଜିଟାଲ୍‌ ଭାବେ ଯାଞ୍ଚ କରିଥିବା ସଂସ୍ଥାର କାର୍ଯ୍ୟାଳୟ ଉପରେ ମଧ୍ୟ ଚଢ଼ଉ ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ, ହସନ, ଚିତ୍ରଦୁର୍ଗା, ଦାବାନଗେରେ, ରାଇଚୁର, କରୱାର, କାଲାବୁରାଗି ଏବଂ ବେଲାଗାଭି ସହ ଗୁଜରାଟର ଅହମ୍ମଦାବାଦ୍‌ର ମୋଟ୍‌ ୨୧ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ଘଟଣାକୁ ନେଇ ଇଡି ତରଫରୁ ୪ଟି ମାମଲା ରୁଜୁ କରାଯାଇଛି।ଅଭିଯୋଗ ଅନୁଯାୟୀ ପ୍ରାଣୀ ଚିକିତ୍ସକ ଭାବେ ଚାକିରି ନିମନ୍ତେ କେତେକ ମଧ୍ୟସ୍ଥି ପରୀକ୍ଷାର୍ଥୀଙ୍କୁ ଭେଟିବା ସହ ସେମାନଙ୍କ ଠାରୁ ୭୦ରୁ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇଥିଲେ।

Leave a Reply

Your email address will not be published. Required fields are marked *