ଶ୍ରାବଣ ଶେଷ ସୋମବାର: ଦେବଗିରି ଧାମରେ କାଉଡ଼ିଆଙ୍କ ଭିଡ଼

କଲ୍ୟାଣସିଂହପୁର:ପବିତ୍ର ଶ୍ରାବଣମାସର ଶେଷ ସୋମବାର ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରସ୍ଥିତ ଐତିହାସିକ ପ୍ରସିଦ୍ଧ ଦେବଗିରି ପୀଠରେ କାଉଡ଼ିଆ ଓ ଶିବଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲଘୁଚାପଜନିତ ବର୍ଷା ସତ୍ତ୍ୱେ ଭକ୍ତଙ୍କ ଉତ୍ସାହରେ କୌଣସି ହ୍ରାସ ଦେଖାଯାଇନଥିଲା। ଶ୍ରାବଣର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସୋମବାର ଅପେକ୍ଷା ଶେଷ ସୋମବାରରେ ଅଧିକ ସଂଖ୍ୟାରେ କାଉଡ଼ିଆଙ୍କ ସମାଗମ ହୋଇଥିଲା।ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ରବିବାର ଦିନ କଲ୍ୟାଣସିଂହପୁରରେ ପହଞ୍ଚି କ୍ରାନ୍ତିକାରୀ ଆଶ୍ରମ, ଗୁଣ୍ଡିଚା ମନ୍ଦିର, ଦୁର୍ଗା ମନ୍ଦିର, କଲ୍ୟାଣୀ ମଣ୍ଡପ ଓ ଦୋକାନ କମ୍ପ୍ଲେକ୍ସ ଆଦି ସ୍ଥାନରେ ରାତ୍ରିଯାପନ କରିଥିଲେ। ସୋମବାର ଭୋରୁ ଉଠି ନିକଟସ୍ଥ ନାଳ, ନାଗାବଳୀ ନଦୀ ଓ କଲ୍ୟାଣୀ ନଦୀର ସଙ୍ଗମସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କାଉଡ଼ିରେ ଜଳ ଧରି ଦେବଗିରି ପାହାଡ଼ ଅଭିମୁଖେ ଯାତ୍ରା କରିଥିଲେ।

କାଉଡ଼ିଆମାନେ ତୁଣ୍ଡରେ ‘ବୋଲବମ’, ‘ଜଟିଆ ବାବା ପାର କରେଗା’, ‘ଭୋଳା ବାବା ପାର କରେଗା’, ‘ହରେ ହରେ ବମ’ ଓ ଶିବ ପଞ୍ଚାକ୍ଷର ମନ୍ତ୍ର ଉଚ୍ଚାରଣ କରି ଦେବଗିରି ପାହାଡ଼ ଚଢ଼ିଥିଲେ। ପାହାଡ଼ର ଗୁମ୍ଫାରେ ବିରାଜିତ ପଞ୍ଚମୁଖେଶ୍ୱର ସ୍ଫଟିକ ଲିଙ୍ଗରେ ଜଳାଭିଷେକ କରି ଭକ୍ତମାନେ ନିଜର ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *