ମୋଟରସାଇକଲକୁ ଧକ୍କା ଦେଲା ହାଇୱା, ଜଣେ ଯୁବତୀ ମୃତ; ଦୁଇ ଗୁରୁତର

ଅନୁଗୋଳ: ବିଶ୍ୱକର୍ମା ପୂଜା ଦେଖିବାକୁ ଯିବା ବେଳେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ହାଇୱା ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଓ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥର ପୁରୁଣା ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି।
ସୂଚନା ଅନୁସାରେ, ମୃତ ଯୁବତୀ ହେଲେ କେନ୍ଦୁଝର ଜିଲ୍ଲା ଦୁରୁଆଗୁଡ଼ା ଅଞ୍ଚଳର ସୁମିତ୍ରା ମହନ୍ତ। ଗୁରୁତର ଆହତ ଯୁବତୀ ଜଣକ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଇରା ଦୁଆରି ବୋଲି ଜଣାପଡ଼ିଛି। ଆହତ ବାଇକ୍ ଚାଳକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।
ସୁମିତ୍ରା ଓ ଇରା ଦୀର୍ଘଦିନ ଧରି ସାମଲ କେୟାର ହସ୍ପିଟାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ନିଜ ଡ୍ୟୁଟି ସାରି ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ନାଲକୋ ନଗରରେ ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଦେଖିବାକୁ ବାହାରିଥିଲେ।
ତେବେ ମେଡିକାଲଠାରୁ ଅଳ୍ପ ଦୂରରେ ଥିବା ପୁରୁଣା ଭାରତ ପେଟ୍ରୋଲ ପମ୍ପ ନିକଟରେ ଅନୁଗୋଳ ଅଭିମୁଖେ ଯାଉଥିବା OD 14 U 7207 ନମ୍ବର ବିଶିଷ୍ଟ ଏକ ହାଇୱା ହଠାତ୍ ଦୁଇ ଯୁବତୀଙ୍କୁ ଧକ୍କା ଦେବା ସହ ଜଣେ ବାଇକ୍ ଚାଳକଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ।
ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଜଣେ ଯୁବତୀଙ୍କୁ ବଅଁରପାଳ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସୁମିତ୍ରା ମହନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଗୁରୁତର ଯୁବତୀଙ୍କୁ ସାମଲ କେୟାର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଆଶ୍ୱିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ହାଇୱା ଚାଳକଙ୍କୁ କାବୁ କରିବା ସହ ଗାଡ଼ିଟିକୁ ଜବତ କରିଛି। ଏନେଇ ପୋଲିସ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *