ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଇଛି ପାକିସ୍ତାନ । ତାକୁ ଧରିଦେଲେ ବା ତା ସମ୍ପର୍କିତ ଖବର ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ଘୋଷଣା କରିଛି । ଆସନ୍ତା ଅକ୍ଟୋବର ମାସରେ ଆନ୍ତର୍ଜାତିକ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ର ବୈଠକ ହେବାକୁ ଥିବା ବେଳେ ପାକିସ୍ତାନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି ।
ଏହା ପୂର୍ବରୁ ଅର୍ଥାତ ୨୦୨୧ ମସିହାରେ ମଧ୍ୟ ପାକିସ୍ତାନ ସରକାର ମାସୁଦକୁ ଧରିବା ପାଇଁ ୫୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ଘୋଷଣା କରିଥିଲେ । ଏହାକୁ କେବଳ ଧର୍ମକୁ ଆଖିଠାର ବୋଲି ଭାରତ ପକ୍ଷରୁ କୁହାଯାଇଛି । ମାସୁଦ ପାକିସ୍ତାନରେ ଅଛି । ପାକିସ୍ତାନ ସରକାର ଜାଣିକି ବି ତାକୁ ଘଂଟ ଘୋଡାଉଛନ୍ତି ବାଲି ଭାରତ ଦାବି କରିଆସୁଅଛି ।
ଆତଙ୍କବାଦୀ ମାସୁଦ ଆଜାରର ଆତଙ୍କୀ ତାଲିକା ବେଶ୍ ଲମ୍ବା । ୨୦୧୬ ପଠାନକୋଟ ବିମାନ ଘାଟି ଉପରେ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ସେ ମାଷ୍ଟର ମାଇଣ୍ଡ ଥିଲା । ଏଥିସହ ଭାରତୀୟ ସଂସଦ ଉପରେ ଆକ୍ରମଣ ତା ନିର୍ଦ୍ଦେଶରେ ହିଁ କରାଯାଇଥିଲା । ଏପରି ଜଣେ କୁଖ୍ୟାତ ଆତଙ୍କବାଦୀକୁ ନିଜ ଦେଶରେ ଶରଣ ଦେଇଥିବା କାରଣରୁ ପାକିସ୍ତାନକୁ ବିଶ୍ୱବ୍ୟାପୀ ନିନ୍ଦିତ ହେବାକ ପଡିଥିଲା । ଏଫଏଟିଏଫ ଏହି କାରଣରୁ ପାକିସ୍ତାନକୁ ପୂର୍ବରୁ କଳା ତାଲିକାଭୁକ୍ତ କରିଥିଲା । ତେବେ ୨୦୨୧ରେ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରେ ଏଫଏଟିଏଫ ଗତ ୨୦୨୨ ଅକ୍ଟୋବରରେ ଅନୁଷ୍ଠିତ ଏହାର ବୈଠକରେ ପାକିସ୍ତାନ ଉପରୁ ପୂର୍ବ କଟକଣା ହଟାଇ ନେଇଥିଲା । ଆସନ୍ତା ଅକ୍ଟୋବର ମାସରେ ଏଫଏଟିଏଫର ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବାରୁ ପାକିସ୍ତାନ ପୁଣିଥରେ ଆନ୍ତର୍ଜାତିକ ସମୁଦାୟ ଆଗରେ ନିଜ ଚାଲ୍ ଖେଳିବାକୁ ଯାଉଛି ।
ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଲା ପାକିସ୍ତାନ
