ବାଣିଜ୍ୟିକ ହବ୍ ଦୁବାଇ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ବର : ଆସନ୍ତା ସେପ୍‌ଟେମ୍ବର ୮ ଓ ୯, ଦୁଇଦିନ ଧରି ବିଶ୍ୱର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ ହବ୍ ଦୁବାଇଠାରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଶ୍ରୀ ମାଝିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଦୁବାଇ ଗସ୍ତରେ ଯିବେ । ଏହି ପ୍ରତିନିଧି ମଣ୍ଡଳରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଏହି ସମୟରେ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଖଣିଜ ପଦାର୍ଥ, ପେଟ୍ରୋ କେମିକାଲ୍‌ସ, ଗ୍ରୀନ୍ ଏନର୍ଜି, ଖାଦ୍ୟ ପ୍ରକ୍ରିୟାକରଣ, ଇଲେକ୍‌ଟ୍ରୋନିକ ସିଷ୍ଟମ ଡିଜାଇନିଂ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶ୍ୱର ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ ଜଣାଇବାର କାର୍ଯ୍ୟକ୍ରମ ରହିଛି । ପୁଞ୍ଜିପତୀମାନଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ହାଇଦ୍ରାବାଦ, କୋଲକାତା, ଭଦୋଦ୍ରା, ଅହମ୍ମଦାବାଦ, ନୂଆଦିଲ୍ଲୀ ଆଦି ବିଭିନ୍ନ ସ୍ଥାନରେ ରୋଡ୍ ସୋ ମଧ୍ୟ କରାଯାଇ ସାରିଛି । ଅଧିକରୁ ଅଧିକ ପୁଞ୍ଜିପତି ଓଡ଼ିଶା ପ୍ରତି କିଭଳି ଆକୃଷ୍ଟ ହେବେ, ତା ପାଇଁ ମଧ୍ୟ ସରକାର ରୋଡମ୍ୟାପ ପ୍ରସ୍ତୁତ କରିସାରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ପୁଞ୍ଜିନିବେଶକାରୀମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *