ମୁମ୍ବାଇ : ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ୨୦୨୦ ମସିହା ଜୁନ୍ ୧୪ ତାରିଖରେ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା । କେତେକ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କେତେକ ଏହା ଆତ୍ମହତ୍ୟା ବୋଲି ସ୍ୱୀକାର କରିବାକୁ ଏବେବି ପ୍ରସ୍ତୁତ ନୁହନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସୁଶାନ୍ତଙ୍କ ମୃତ୍ୟୁର ମାତ୍ର ୬ ଦିନ ପୂର୍ବରୁ ଏକଦା ତାଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଦିଶା ସାଲିଆନଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ ମସିହା ଜୁନ୍ ୮ ତାରିଖରେ ମୁମ୍ବାଇ ମାଲ୍ଦା ଅଂଚଳରେ ଥିବା ଏକ ଆପାର୍ଟମେଂଟର ୧୪ ମହଲାରୁ ତଳକୁ ପଡି ଦିଶାଙ୍କ ମୃତ୍ୟୁ ଘଟିଥିଲା । ଛାନଭିନ୍ ପରେ ମୁମ୍ବାଇ ପୁଲିସ ଏହାକୁ ଏକ ଆତ୍ମହତ୍ୟା ମାମଲା ବୋଲି ଦର୍ଶାଇ ସେହି ଅନୁସାରେ ତଦନ୍ତ କରିଥିଲା ।
ତେବେ ଦିଶାଙ୍କ ପିତା ସତୀଶ ସାଲିଏନ୍ ଏଥିରେ ସନ୍ତୁଷ୍ଟ ନ ଥିଲେ । କାରଣ ତାଙ୍କ ଝିଅ ଯେପରି ସାହସୀ ଓ ସ୍ୱାଧୀନତଚେତା ଥିଲା, ସେ କେବେବି ଆତ୍ମହତ୍ୟା କରିପାରେନା । ବରଂ ତାଙ୍କ ଝିଅକୁ ହତ୍ୟା କରାଯାଇ ଏହାକୁ ଆତ୍ମହତ୍ୟାର ନାମ ଦିଆଯାଇଛି । ସତୀଶଙ୍କ ଭିତରେ ଏହି ଧାରଣା ଦୃଢୀଭୂତ ହେବା ପରେ ସେ ମୁମ୍ବାଇ ପୁଲିସର ରିପୋର୍ଟ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଓ ଏହି ଜଘଣ୍ୟକାଣ୍ଡର ମୁଖ୍ୟ କର୍ପଟଦାର ହେଉଛନ୍ତି ଶିବସେନା (ୟୁବିଟି) ନେତା ଆଦିତ୍ୟ ଥାକରେ ବୋଲି ସେ ହାଇକୋର୍ଟରେ ଲିଖିତ ଅଭିଯୋଗ କରିଥିଲେ । ବଡବଡ଼ିଆଙ୍କ ପିଲାମାନେ ଏଥିରେ ସାମିଲ ଥିବାରୁ ପୁଲିସ ଜାଣିଶୁଣି ତଦନ୍ତକୁ ଦିଗହରା କରିଦେଇଛି । ତେଣୁ ମାମଲାର ସିବିଆଇ ତଦନ୍ତ ହେଲେ ତାଙ୍କ ମୃତା ଝିଅର ଆତ୍ମା ଶାନ୍ତି ପାଇବ ବୋଲି ସେ ନିବେଦନ କରିଥିଲେ ।
ଶେଷରେ ଜଣେ ଅସହାୟ ବାପାଙ୍କ ଆକୂଳ ନିବେଦନକୁ ଗଂଭିରତାର ସହ ନେଇଛନ୍ତି ବମ୍ବେ ହାଇକୋର୍ଟ । ଦିଶା ସାଲିଏନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବାକୁ କୋର୍ଟ ବୁଧବାର ଏହି ଆଦେଶ ଦେଇଛନ୍ତି । ମାମଲାରେ ପୁଲିସର ତଦନ୍ତକୁ ନେଇ ମଧ୍ୟ କୋର୍ଟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ବମ୍ବେ ପୁଲିସ ତଦନ୍ତ ଢିଲା କରିଛି । ଯେଉଁ ତଥ୍ୟ ଦେଇଛି, ସେଥିରେ ବି ତାଳମେଳ ନାହିଁ । ମାମଲାର ଗୁରୁତ୍ୱକୁ ଦେଖି ସିବିଆଇ ଏହାର ତଦନ୍ତ କରୁ ବୋଲି ମାନ୍ୟବର ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସାରଙ୍ଗ କୌଟୱାଲ ଏବଂ ଜଷ୍ଟିସ ରଂଜିତ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ ପୋଲିସର ଖାମଖିଆଲି ତଦନ୍ତକୁ ନେଇ ଖପ୍ପା ହୋଇଛନ୍ତି । ଯେଉଁଭଳି ଭାବେ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, ପୋଲିସ ପକ୍ଷପାତ ନୀତି ଅବଲମ୍ବନ କରିଛି । ତେଣୁ ଏହି ମାମଲାର ସବୁତକ ବିବରଣୀ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତଙ୍କ ମୃତ୍ୟୁର ୬ ଦିନ ପୂର୍ବରୁ ମିଳିଥିଲା ଦିଶାଙ୍କ ଶବ
