ନୂଆପଡ଼ା ଜିଲ୍ଲାରେ ଚିନାବାଦାମ ବିହନ ଉତ୍ପାଦନ ତାଲିମ ଶିବିର

ନୂଆପଡା : ଚିନାବାଦାମ ଉତ୍ପାଦନ ବୃଦ୍ଧି, ଉନ୍ନତ ବିହନ ଉତ୍ପାଦନ ପ୍ରଣାଳୀର ପ୍ରସାର ଏବଂ କୃଷକମାନଙ୍କ ଦକ୍ଷତା ବିକାଶ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାର ଖରିଆର, ବୋଡ଼େନ ଓ ସିନାପାଲି ବ୍ଲକରେ ଚିନାବାଦାମ ବିହନ ଉତ୍ପାଦନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ୟୁଥ୍ ଫର୍ ଆକ୍ସନ୍ ଆଣ୍ଡ ରିସର୍ଚ୍ଚ (ୟାର), ଖରିଆର, ପକ୍ଷରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହଯୋଗ ଏବଂ ଇଣ୍ଟରନ୍ୟାସନାଲ୍ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ ଦି ସେମି-ଆରିଡ୍ ଟ୍ରପିକ୍ସ (ICRISAT)ର ବୈଷୟିକ ସହଯୋଗରେ ଏହି ତାଲିମ ଶିବିରଗୁଡ଼ିକ ଆୟୋଜିତ ହୋଇଥିଲା। ଏଥିରେ ମହିଳା ଓ ପୁରୁଷଙ୍କ ସମେତ ୨୦୦ରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ।

ଅକ୍ଟୋବର ୧୩ ତାରିଖରେ ଖରିଆର ବ୍ଲକର ଭୁଲିଆସିକୁଆ ପଞ୍ଚାୟତ ଅନ୍ତର୍ଗତ କୋଟେନମୁଣ୍ଡା ଗ୍ରାମରେ, ଅକ୍ଟୋବର ୧୪ ତାରିଖରେ ବୋଡ଼େନ ବ୍ଲକର ସୁନାପୁର ଗ୍ରାମରେ ଏବଂ ଅକ୍ଟୋବର ୧୭ ତାରିଖରେ ସିନାପାଲି ବ୍ଲକର ଟିମନପୁର ଗ୍ରାମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଖରିଆରଠାରେ ଆୟୋଜିତ ତାଲିମ ଶିବିରରେ କୃଷି ଓଭରସିୟର ଜସସ୍ୱିତା ପଣ୍ଡା, ବୋଡ଼େନଠାରେ କୃଷି ଅଧିକାରୀ ଚିତ୍ରୋତ୍ୱଳା ଦେହୁରୀ ଏବଂ ସିନାପାଲିଠାରେ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ଉପସ୍ଥିତ ରହି କୃଷକମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡା. ଦିବ୍ୟ ରଞ୍ଜନ ସ୍ୱାଇଁ, ପଶୁ ଚିକିତ୍ସା ସହାୟକ ଶଲ୍ୟ ଚିକିତ୍ସକ; ଦିଗମଲ ସବର, ସହକାରୀ ଉଦ୍ୟାନ କୃଷି ଅଧିକାରୀ; ଗଣପତି ନାୟକ, FIS/ATMA ଅଧ୍ୟକ୍ଷ; ହେମସୂତା ସରାଫ, କୃଷି ଓଭରସିୟର; ତପସ୍ୱିନୀ ପାଢ଼ୀ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ଅରୁଣ ଧାକଡ଼, BTM, ATMA ଯୋଗଦେଇଥିଲେ।

ପ୍ରଶିକ୍ଷଣ ସମୟରେ ଚିନାବାଦାମ ଚାଷ ପାଇଁ ଉପଯୁକ୍ତ ଋତୁ ଓ ଜମି ଚୟନ, ଜମି ପ୍ରସ୍ତୁତି, ବିହନ ବିଶୋଧନ, ବିହନ ବୁଣିବାର ସଠିକ୍ ପଦ୍ଧତି, ଫସଲର ବିଭିନ୍ନ ପରିଚାଳନା କୌଶଳ, ଘାସପତ୍ର ନିୟନ୍ତ୍ରଣ, ଜଳ ପରିଚାଳନା, କୀଟ ଓ ରୋଗ ନିୟନ୍ତ୍ରଣ ଆଦି ବିଷୟରେ କୃଷକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରାଯାଇଥିଲା। ଏଥିସହ ଅମଳ ପରବର୍ତ୍ତୀ ପ୍ରଯୁକ୍ତି, ବିହନର ଗୁଣବତ୍ତା ସଂରକ୍ଷଣ, ବଜାର ସଂଯୋଗ ଓ ଚାଷରୁ ଅଧିକ ଲାଭ ପାଇବାର ଉପାୟ ଉପରେ ଆଲୋଚନା କରାଯାଇଥିଲା। କୃଷକମାନଙ୍କୁ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଚିନାବାଦାମ ଚାଷର ବ୍ୟବହାରିକ ଜ୍ଞାନ ମଧ୍ୟ ପ୍ରଦାନ କରାଯାଇଥିଲା।

ୟାର ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଯୋଷୀ, ସମ୍ପାଦକ ହରିଦାସ ପଟେଲ ଓ ଅରୁଣ ବିଶ୍ୱାଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଖରିଆରଠାରେ ରାଜ କିଶୋର ପଣ୍ଡା, ବୋଡ଼େନଠାରେ ବିଦେଶ୍ୱର ମାଝୀ ଏବଂ ସିନାପାଲିଠାରେ ଗଣେଷ ରାମ ମାଝୀ କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ୟାରର କର୍ମଚାରୀ ଗୋଲକ ବିହାରୀ ପାଣିଗ୍ରାହୀ ତାଲିମ ଶିବିରଗୁଡ଼ିକର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ଏହି ତାଲିମ ଶିବିର ମାଧ୍ୟମରେ କୃଷକମାନେ ଉନ୍ନତ ଚିନାବାଦାମ ବିହନ ଉତ୍ପାଦନ ଓ ବୈଜ୍ଞାନିକ ଚାଷ ପ୍ରଣାଳୀ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ଉତ୍ପାଦନ ବୃଦ୍ଧି, ଫସଲର ଗୁଣବତ୍ତା ରକ୍ଷା ଏବଂ କୃଷି ଆୟ ବୃଦ୍ଧି ଦିଗରେ ଉପକୃତ ହେବାର ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *