ସିଡ୍ନୀ: ଅଷ୍ଟ୍ରେଲିଆର ପୂର୍ବତନ ଓପ୍ନର ଡେଭିଡ୍ ୱାର୍ଣ୍ଣର ଗତ ଏପ୍ରିଲ୍ ୫ରେ ନିଶାସକ୍ତ ହୋଇ କାର୍ ଚଳାଇ ଧରା ପଡ଼ିଥିଲେ। ପାକିସ୍ତାନ ସୁପର ଲିଗ୍ ଖେଳି ୱାର୍ଣ୍ଣର ସ୍ବଦେଶ ଫେରିଥିଲେ। ସିଡ୍ନୀ ପୁଲିସ କାର୍ ଚାଳକ ନିଶା ସେବନ କରିଛନ୍ତି ନାହିଁ; ତାହାର ଚେକିଂ କରୁଥିଲା। ଏଥିରେ ୱାର୍ଣ୍ଣର ଧରାପଡ଼ି ଗିରଫ ହୋଇଥିଲେ। ପରେ ତାଙ୍କୁ ଥାନାକୁ ନିଆଯାଇ ଆଉ ଥରେ ପରୀକ୍ଷା କରା ଯାଇଥିଲା। ତାଙ୍କ ଶରୀରରେ ଅନୁମତି ଥିବା ମାତ୍ରାରୁ ଅଧିକ ଆଲ୍କହଲ୍ ଥିବା ଜଣା ପଡ଼ିଥିଲା। ତେଣୁ ତାଙ୍କ ବିରୋଧରେ ମାମଲା ଚାଲିଥିଲା। ସୋମବାର ଅଦାଲତ ୱାର୍ଣ୍ଣରଙ୍କୁ ମାମଲାରେ ଦୋଷୀ ଘୋଷଣା କରିଛନ୍ତି। ତାଙ୍କୁ ଅଦାଲତ ୧,୫୦୦ ଅଷ୍ଟ୍ରେଲୀୟ ଡଲାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ତାଙ୍କ କାର୍ରେ ଇଣ୍ଟରଲକ୍ ଯନ୍ତ୍ ଲଗାଇବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଚାଳକ କାର୍ ଚଳାଇବା ପୂର୍ବରୁ ଉକ୍ତ ଯନ୍ତ୍ରରେ ଫୁଙ୍କିବେ। ଚାଳକଙ୍କ ନିଶ୍ବାସରେ ଅନୁମତିଠାରୁ ଅଧିକ ମାତ୍ରାର ଆଲ୍କହଲ ଥିଲେ କାର୍ର ଇଞ୍ଜିନ୍ ଷ୍ଟାର୍ଟ ହେବନାହିଁ। ଅଦାଲତରେ ୱାର୍ଣ୍ଣରଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ୱାର୍ଣ୍ଣରଙ୍କ ଖବର ଗଣମାଧ୍ୟମକୁ ଅଦାଲତ ଜଣାଇବାରୁ ୱାର୍ଣ୍ଣର ମାନସିକ ଭାେବ ଭାରାକ୍ରାନ୍ତ ହୋଇଥିଲେ। ଏହା ତାଙ୍କ ପାଇଁ ବଡ଼ ଦଣ୍ଡ ଥିଲା। ତେଣୁ ୱାର୍ଣ୍ଣରଙ୍କୁ ଦୋଷମୁକ୍ତ କରାଯାଉ। ହେଲେ ଅଦାଲତ ଏହାକୁ ମାନିନଥିଲେ। ଡେଭିଡ୍ ୱାର୍ଣ୍ଣର ଦଣ୍ଡିତ ହେବା ପରେ ଆସନ୍ତା ବିଗ୍ ବାସ୍ ଲିଗ୍ (ବିବିଏଲ୍)ରେ ସିଡ୍ନୀ ସିକ୍ସର୍ସର ନେତୃତ୍ବ ନେବା ନେଇ ସନ୍ଦେହ ଦେଖାଦେଇଛି।
ନିଶାସକ୍ତ ହୋଇ କାର୍ ଚଳାଇ ଅଷ୍ଟ୍ରେଲିଆର ପୂର୍ବତନ ଓପ୍ନର ୱାର୍ଣ୍ଣର ଦଣ୍ଡିତ
