ପୁରୀ : ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଘଟଣ ଘଟିଛି। ଦଳଚକଟାରେ ୩ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା କୁହାଯାଉଛି। ମରୀଚିକୋଟ ଛକ ନିକଟ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। କେତେକ ବ୍ୟକ୍ତି ତଳେ ପଡ଼ିଯାଇଥିବା ବେଳେ ଆଉ କିଛି ସେମାନଙ୍କ ଉପରେ ଚଢ଼ି ଯାଇଥିଲେ। ଘଟଣାସ୍ଥଳରୁ ୭ଜଣ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅନୀଲ କୁମାର ଦାସ (୬୫), କୁସୁମ ସନ୍ଧ୍ୟା (୬୦) ଓ ହରବିନ୍ଦ ସିଂହଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନୀଲଙ୍କ ଘର କଟକ ଜିଲା ଶିଲୋଗ୍ରାମ ରାଧାନଗରରେ ହୋଇଥିବା ବେଳେ କୁସୁମ ମଧ୍ୟପ୍ରଦେଶ ରେୱା ଅଞ୍ଚଳର ବାସିନ୍ଦା। ହରବିନ୍ଦଙ୍କ ଠିକଣା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୁମ୍ଭାରପଡ଼ା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହି ଆହତଙ୍କ ଚିକିତ୍ସାର ତଦାରଖ କରୁଛନ୍ତି। ମୃତ ଶ୍ରଦ୍ଧାଳୁମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀ କହିଛନ୍ତି। ଅନ୍ୟପକ୍ଷରେ, ଭିଡ଼ ଭିତରେ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିବା ୧୪ ଶ୍ରଦ୍ଧାଳୁ ନିଖୋଜ ଥିବା ସେମାନଙ୍କ ପରିବାର ଅଭିଯୋଗ କରିଛନ୍ତି। ସେହିପରି ସମୁଦ୍ରରେ ଗାଧୋଇବା ବେଳେ ଗୁରୁତର ହୋଇଥିବା ଜଣେ ପର୍ଯ୍ୟଟକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ରଥଯାତ୍ରାରେ ଦଳାଚକଟା ହୋଇନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିପୁଳ ଭକ୍ତଙ୍କ ସମାଗମ ଓ ଲଗାଣ ବର୍ଷା ଯୋଗୁଁ କିଛି ସ୍ବାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା। ଏହି ସମୟରେ ୭ଜଣ ବ୍ୟକ୍ତି ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଥିମଧ୍ୟରୁ ଜଣେ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଭକ୍ତଙ୍କର ଦୁର୍ଭଗ୍ୟବଶତ ମୃତ୍ୟୁ ଘଟିଥିଲା। ତେବେ ଏହାର ସଠିକ କାରଣ ଜଣାପଡ଼ିନାହିଁ। ପୃଥକ୍ ଭାବରେ ଆଉ ଏକ ଘଟଣାରେ ଅନ୍ୟଜଣେ ଭକ୍ତଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ସୁସ୍ଥ କରାଯିବା ପରେ ଡିସ୍ଚାର୍ଜ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସତ୍ତ୍ବେ ୩ ଶ୍ରଦ୍ଧାଳୁ ମୃତ
