ଚେନ୍ନଇ: ଦୀର୍ଘ ୧୮ ବର୍ଷ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)ର ମୁଖ୍ୟ ପ୍ରଶିକ୍ଷକ ରହିବା ପରେ ଇସ୍ତଫା ଦେଇଛନ୍ତି ଷ୍ଟିଫେନ୍ ଫ୍ଲେମିଂ। ସିଏସ୍କେର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବା କଥା ସିଏସ୍କେ ଦଳ ମ୍ୟାନେଜମେଣ୍ଟକୁ ଫ୍ଲେମିଂ ଜଣାଇ ଦେଇଥିେଲ ଏବଂ ଏହି ପ୍ରସ୍ତାବକୁ ସିଏସ୍କେ ଗ୍ରହଣ କରିଥିଲା। ସୋମବାର ସିଏସ୍କେ ପକ୍ଷରୁ କୁହାଯାଇଛି, ଆଇପିଏଲ୍ ଇତିହାସରେ ଅନ୍ୟତମ ସଫଳ ଓ ଦୀର୍ଘ ସହଭାଗିତାର ଅନ୍ତଃ ଘଟିଛି। ଫ୍ଲେମିଙ୍ଗ୍ ଏବଂ ସୁପର କିଙ୍ଗସ ପରିଚାଳନା କମିଟି ମଧ୍ୟରେ ଏକାଧିକ ଥର ଖୋଲାଖୋଲି ଓ ସ୍ପଷ୍ଟ ଆଲୋଚନା ପରେ, ପାରସ୍ପରିକ ସମ୍ମାନ ଓ କୃତଜ୍ଞତା ସହ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଆଇପିଏଲ୍ ଦଳ ସିଏସ୍କେ ନୁହେଁ; ବିଦେଶରେ ହେଉଥିବା ଟ୍ବେଣ୍ଟି୨୦ ଲିଗ୍ରେ ସିଏସ୍କେର ଫ୍ରାଞ୍ଚାଇଜି ଜୋବର୍ଗ ସୁପର କିଙ୍ଗ୍ସ (ଏସ୍୨୦) ଓ ଟେକ୍ସାସ୍ ସୁପର କିଙ୍ଗ୍ସ (ମେଜର ଲିଗ୍ କ୍ରିକେଟ୍)ର ମୁଖ୍ୟ ପ୍ରଶିକ୍ଷକ ପଦ ମଧ୍ୟ ଷ୍ଟିଫେନ୍ ଫ୍ଲେମିଂ ଛାଡ଼ିଛନ୍ତି।ସିଏସ୍କେ କ୍ରମାଗତ ତୃତୀୟ ଆଇପିଏଲ୍ ସଂସ୍କରଣରେ କୌଣସି ଟ୍ରଫି ଜିତିବାରେ ବିଫଳ ହେବା ପରେ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଫ୍ଲେମିଙ୍ଗ୍ଙ୍କ ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନା ତୀବ୍ର ହୋଇଥିଲା। ୨୦୨୫ରେ ସିଏସ୍କେ ସର୍ବନିମ୍ନ ସ୍ଥାନରେ ରହିବା ପରେ ୨୦୨୬ରେ ୮ମ ସ୍ଥାନରେ ରହିଥିଲା। ଚଳିତବର୍ଷ ସିଏସ୍କେର ଶେଷ ଲିଗ୍ ମ୍ୟାଚ୍ ପରେ ଫ୍ଲେମିଙ୍ଗ୍ କହିଥିଲେ, ଫ୍ରାଞ୍ଚାଇଜି ସହ ମୋର ଭବିଷ୍ୟତର ନିଷ୍ପତ୍ତି ମ୍ୟାନେଜମେଣ୍ଟର; ମୋର ନୁହେଁ। ଫ୍ଲେମିଂ ଆହୁରି କହିଛନ୍ତି, ୧୮ ବର୍ଷ ଖେଳରେ ଏକ ଜୀବନକାଳ ସଦୃଶ ଏବଂ ମୁଁ କେବଳ କୃତଜ୍ଞତା ନେଇ ଏଠାରୁ ବିଦାୟ ନେଉଛି। ଚେନ୍ନଇ ସୁପର କିଙ୍ଗସ ସହିତ ମୋର ସମୟ ମୋ ପ୍ରଶିକ୍ଷକ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ଥିଲା। ଆମେ ଯାହା ସବୁ ହାସଲ କରିଛୁ, ସେସବୁ ପାଇଁ ମୁଁ ଗର୍ବିତ। ଆମେ ଏକାଠି ଅବିସ୍ମରଣୀୟ ବିଜୟର ଉତ୍ସବ ପାଳନ କରିଛୁ ଏବଂ ଏମିତି କିଛି ସ୍ମୃତି ସାଉଁଟିଛୁ; ଯାହା ମୋ ସହ ସର୍ବଦା ରହିବ। ସିଏସକେ ମୋ ହୃଦୟର ଅତି ନିକଟରେ ରହିବ। ସୂଚନାଯୋଗ୍ୟ; ଫ୍ଲେମିଙ୍ଗ୍ ୨୦୦୮ ଆଇପିଏଲ୍ ପୂର୍ବରୁ ଜଣେ ଖେଳାଳି ଭାବରେ ସିଏସ୍କେରେ ଯୋଗ ଦେଇଥିଲେ। ୨୦୦୯ରୁ ସେ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଫ୍ଲେମିଂ ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ଦଳକୁ ରେକର୍ଡ ୧୨ ଥର ପ୍ଲେଅଫ୍କୁ ନେଇ ପାରିଥିଲେ। ଦଳ ତାଙ୍କ ମାର୍ଗଦର୍ଶନରେ ରେକର୍ଡ ୧୦ ଥର ଫାଇନାଲରେ ପ୍ରବେଶ କରିବା ସହ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଚମ୍ପିଆନ୍ ହୋଇଥିଲା। ପୁଣି ୨୦୧୦ ଏବଂ ୨୦୧୪ରେ ମଧ୍ୟ ସିଏସକେ ଚମ୍ପିଆନ୍ସ ଲିଗ୍ ଟି୨୦ ଜିତିଥିଲା।
୧୮ ବର୍ଷ ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂଙ୍କ ଇସ୍ତଫା
