ନନ୍ଦନକାନନ‌କୁ ଆସିଲେ ନୂଆ ଅତିଥି; ଜେବ୍ରା, କଙ୍ଗାରୁ ସମେତ ଆସିଲେ ୫୮ ପ୍ରାଣୀ

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭାବୃଦ୍ଧି ସହ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ୧୪ ପ୍ରଜାତିର ୫୮ଟି ବିଦେଶୀ ପ୍ରାଣୀ ଆସିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ଗୁଜରାଟସ୍ଥିତ ରାଧାକୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ଉପହାରସ୍ୱରୂପ ଏହି ପ୍ରାଣୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ନନ୍ଦନକାନନରେ ପହଞ୍ଚିଛନ୍ତି। ସେମାନଙ୍କୁ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ପ୍ରାଣୀଉଦ୍ୟାନର ସଙ୍ଗରୋଧ ଗୃହ ଓ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି। ମାସେ ପରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସେମାନଙ୍କୁ ଖୁଆଡ଼‌ରେ ଛଡ଼ାଯିବ ବୋଲି ଜଣାଯାଇଛି।

ଗୁଜରାଟରୁ ଆସିଥିବା ଏହି ପ୍ରାଣୀମାନଙ୍କ ମଧ୍ୟରେ ଦୁଇ ହଳ ଜେବ୍ରା, ଦୁଇ ହଳ କଙ୍ଗାରୁ, ୩ ହଳ ବେନେଟ୍ସ ୱାଲାବି, ୨ ହଳ ରିଙ୍ଗ୍-ଟେଲ୍ଡ ଲେମୁର୍, ୨ ହଳ ଟଫ୍ଟେଡ୍ କ୍ୟାପୁଚିନ୍, ୨ ହଳ ସ୍କାର୍ଲେଟ୍ ମାକାଓ, ୨ ହଳ ବ୍ଲୁ-ଆଣ୍ଡ-ଗୋଲ୍ଡ ମାକାଓ, ୨ ହଳ ଗ୍ରିନ୍-ୱିଙ୍ଗଡ୍ ମାକାଓ, ୨ ହଳ ସଲଫର୍-କ୍ରେଷ୍ଟେଡ୍ କକାଟୁ, ୨ ହଳ କ୍ରାଉଣ୍ଡ କ୍ରେନ୍, ୨ ହଳ ସ୍କାର୍ଲେଟ୍ ଆଇବିସ୍, ୩ହଳ ମିରକାଟ୍, ହଳେ କାସୋୱାରୀ, ୨ ହଳ ବ୍ଲୁ ୱାଇଲ୍ଡବିଷ୍ଟ ରହିଛନ୍ତି। ୧୪ ପ୍ରଜାତିଙ୍କ ମଧ୍ୟରୁ ୧୦ ନୂଆ ପ୍ରଜାତିର ପ୍ରାଣୀ ଅଛନ୍ତି। ଗୋଟିଏ ପ୍ରଜାତି ପାଇଁ ଯୋଡ଼ି ପ୍ରସ୍ତୁତି ଏବଂ ୩ଟି ପ୍ରଜାତି କ୍ଷେତ୍ରରେ ନୂଆ ବ୍ଲଡ୍‌ଲାଇନ୍ (ବଂଶଗତ ଉତ୍ସ)ର ଅନ୍ତର୍ଭୁକ୍ତୀକରଣ ଫଳରେ ପ୍ରାଣୀଉଦ୍ୟାନରେ ମୋଟ ପ୍ରଜାତି ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି। ଏହି ନୂତନ ସଂଯୋଜନ ପ୍ରାଣୀଉଦ୍ୟାନର ପ୍ରଜାତି-ବିବିଧତାକୁ ସୁଦୃଢ଼ କରିବା ସହ ସଂରକ୍ଷଣ ଓ ଶିକ୍ଷାମୂଳକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଥିବା ନନ୍ଦନକାନନ ଉପନିର୍ଦେଶକ ମିରାସେ ପ୍ରଦୀପ ଦେବୀଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *