ସଡ଼କ ଦୁର୍ଘଟଣାରେ ନର୍ସିଂ ଅଫିସର ମୃତ

ନୀଳଗିରି: ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ନୀଳଗିରି ଡାକ୍ତରଖାନାର ଜଣେ ନର୍ସିଂ ଅଫିସରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ନୀଳଗିରି ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଂ ଅଫିସର ନିୟତି ଦାସଅଧିକାରୀ। ସୂଚନା ଅନୁଯାୟୀ, ପ୍ରାୟ ୫ ଦିନ ତଳେ ନିୟତି କୌଣସି କାମରେ କ୍ୱାର୍ଟରରୁ ସ୍କୁଟି ଯୋଗେ ବଜାରକୁ ଯାଉଥିଲେ। ଡାକ୍ତରଖାନା ସମ୍ମୁଖରେ ତାଙ୍କର ସାମାନ୍ୟ ଦୁର୍ଘଟଣା ଘଟିଥିଲା। ତେବେ ସେ ସ୍କୁଟି ଉଠାଇ ପୁଣି ଜେଲ୍‌ ରୋଡ୍‌ ଆଡ଼କୁ ଯାଇଥିଲେ।ଜେଲ୍‌ ନିକଟରେ ସାମ୍ନାପଟୁ ଏକ ଗାଡ଼ି ଦ୍ରୁତଗତିରେ ଆସୁଥିବା ଦେଖି ନିୟତି ଭାରସାମ୍ୟ ହରାଇ ସଡ଼କ ଉପରେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ।ସ୍ଥାନୀୟମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଚିକିତ୍ସା ସତ୍ତ୍ୱେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *